ଢିଙ୍କିଆ ପ୍ରସଙ୍ଗରେ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ବାମ ଗଣତାନ୍ତ୍ରିକ ବିରୋଧୀ ଦଳଙ୍କ ନେତୃମଣ୍ଡଳୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ଅଞ୍ଚଳ ଢିଙ୍କିଆରେ ପୋଲିସ୍ ଓ ଜିନ୍ଦଲ ସପକ୍ଷବାଦୀମାନେ ଆତଙ୍କରାଜ ଚଳାଇ ସାଧାରଣ ଜନତାଙ୍କ କଣ୍ଠରୋଧ କରୁଛନ୍ତି । ଏ ସଂକ୍ରାନ୍ତରେ ତଥ୍ୟ ଅନୁସନ୍ଧାନ ପାଇଁ ରାଜ୍ୟର ୧୧ ଗୋଟି ବାମ ଗଣତାନ୍ତ୍ରିକ ବିରୋଧୀ ଦଳମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଗତ ମଇ ୪ ତାରିଖ ଦିନ ଢିଙ୍କିଆ ଗ୍ରସ୍ତରେ ଯାଇଥିଲେ । ନୂଆଗାଁ ଓ ଗୋବିନ୍ଦପୁରରେ ଜନସାଧାରଣଙ୍କ ସହ ଆଲୋଚନା କରିବା ପରେ ଏହି ପ୍ରତିନିଧି ମଣ୍ଡଳୀ ଢିଙ୍କିଆ ଗସ୍ତ କରିଥିଲେ । ଢିଙ୍କିଆର ପ୍ରବେଶ ପଥରେ କିଛି କମ୍ପାନୀ ସପକ୍ଷବାଦୀ ଏହି ପ୍ରତିନିଧି ମଣ୍ଡଳୀଙ୍କୁ ଅଟକାଇବା ସହ ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଅଧିକ ବଚସାକୁ ନଯାଇ ଏହି ପ୍ରତିନିିଧି ମଣ୍ଡଳୀ ଭୁବନେଶ୍ୱର ଫେରି ଆସିବା ପରେ ଆଜି ଏ ସଂକ୍ରାନ୍ତରେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲଙ୍କୁ ତାଙ୍କ କ୍ୟାମ୍ପ ଅଫିସରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଢିଙ୍କିଆ ଚାରିଦେଶ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ବାହାରେ ନୁହେଁ । ସେହି ଅଞ୍ଚଳର ଜନଗଣଙ୍କ ସୁରକ୍ଷା କରିବା ରାଜ୍ୟ ପୋଲିସ୍‌ର ଦାୟିତ୍ୱ ବୋଲି ପ୍ରତିନିଧି ମଣ୍ଡଳୀ ଆଲୋଚନା ସମୟରେ ପୋଲିସ୍ ଡ଼ିଜିଙ୍କୁ ପ୍ରକାଶ କରିଥିଲେ । ସ୍ଥାନୀୟ ପୋଲିସ୍ ଜେଏସ୍‌ଡବ୍ଲୁ କମ୍ପାନୀ ସପକ୍ଷରେ ଏବଂ ସାଧାରଣ ଜନତାଙ୍କ ବିରୋଧରେ ଯେଭଳି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରୁଛି ସେଥିରୁ ବିରତ ରହିବା ଆବଶ୍ୟକ । ଢିଙ୍କିଆରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ସୁରକ୍ଷା କରିବା ଦିଗରେ ପୋଲିସ୍ କାର୍ଯ୍ୟ କରିବା ପାଇଁ ପୋଲିସ୍ ମହାନିର୍ଦ୍ଦେଶକ ହସ୍ତକ୍ଷେପ କରିବାକୁ ଏହି ପ୍ରତିନିଧି ମଣ୍ଡଳୀ ଦାବି କରିଥିଲେ । ଅନ୍ୟ ପଟରେ ପୁରୀଜିଲ୍ଲା ସିପସରୁବାଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ବଟକୃଷ୍ଣ ସ୍ୱାଇଁଙ୍କୁ ଜିଲ୍ଲା ପୋଲିସ୍ ଏନ୍‌ଏସ୍‌ଏ ଲଗାଇ ଅଟକ ରଖିବା ଦୁର୍ଭାଗ୍ୟଜନକ ବୋଲି ଏହି ପ୍ରତିନିଧି ମଣ୍ଡଳୀ ଡ଼ିଜିଙ୍କୁ ଅବଗତ କରାଇବା ସହ ତାଙ୍କୁ ନିସର୍ତ୍ତରେ ଖଲାସ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଦୀର୍ଘ ୬ ମାସ ଧରି ନିଜର ଜୀବନ ଜୀବିକାର ଦାବି ନେଇ ରାଜଧାନୀର ମହତ୍ମା ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଚଳାଇଥିବା ହୋମଗାର୍ଡ଼ମାନଙ୍କ ସଂକ୍ରାନ୍ତରେ ମଧ୍ୟ ଏହି ପ୍ରତିନିଧି ମଣ୍ଡଳୀ ଡ଼ିଜିଙ୍କ ସହିତ ଆଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀଙ୍କ ସମସ୍ତ କଥା ଶୁଣିବା ପରେ ଦାବୀଗୁଡ଼ିକ ସଂକ୍ରାନ୍ତରେ ଆଇନ୍ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ପୋଲିସ୍ ମହାନିର୍ଦ୍ଦେଶକ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ସିପିଏମ୍‌ର ବରିଷ୍ଠ ନେତା ସନ୍ତୋଷ ଦାସ, ସିପିଆଇ ନେତା ଜୟନ୍ତ ଦାସ, ସିପିଆଇ (ଏମ୍‌ଏଲ୍‌) ଲିବରେସନ ନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ଆମ୍ ଆଦ୍‌ମୀ ପାର୍ଟି ନେତା ରଙ୍ଗାଚରଣ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ସିପିଆଇ (ଏମ୍‌ଏଲ୍‌) ନେତା ଶ୍ରୀକାନ୍ତ ମହାନ୍ତି, ସିପିଆଇ (ଏମ୍‌ଏଲ୍‌) ରେଡ଼ଷ୍ଟାର ନେତ୍ରୀ ପ୍ରମିଳା ବେହେରା ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ