ତଞ୍ଚକତାରେ ବ୍ୟାଙ୍କରୁ ଟଙ୍କା ଉଠାଣ ଅଭିଯୋଗ ଜିଲାପାଳଙ୍କୁ ଏସଏଚଜି ମହିଳାଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟଙ୍କ ସଂଚିତ ଲକ୍ଷାଧିକ ଟଙ୍କାର ଅର୍ଥରାଶିକୁ ସମ୍ପାଦକ ଓ ସଭାପତି ଆତ୍ମସାତ କରିଥିବା ଅଭିଯୋଗରେ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ରେମୁଣା ଆର୍ମଳା ଅଞ୍ଚଳର ମହିଳା । ସେମାନଙ୍କ ଆପତ୍ତି ଅନୁସାରେ ଆର୍ମଳା ଅଞ୍ଚଳର ମହିଳାମାନେ ବାବା ଆର୍ତ୍ତେଶ୍ୱର ଏସଏଚଜି ଗଠନ ସହ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ନେଣଦେଣ କରୁଥିଲେ । ଅର୍ଥ ଉଠାଣ ପୂର୍ବରୁ ଏସଏଚଜି ବୈଠକରେ ପ୍ରସ୍ତାବ ଗୃହୀତ ହେବା ପରେ ତହିଁଆର ଦିନ ସମ୍ପାଦକ ଓ ସଭାପତି ବ୍ୟାଙ୍କରୁ ଟଙ୍କା ଉଠାଣ କରିବା କଥା । ମାତ୍ର ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ସହ ସଦସ୍ୟମାନଙ୍କ ଦସ୍ତଖତକୁ ଆଧାର କରି ତଂଚକତା ମାଧ୍ୟମରେ ସମ୍ପାଦକ ଓ ସଭାପତି ବ୍ୟାଙ୍କ ବ୍ୟାଙ୍କରୁ ୩ ଥରରେ ୩ ଲକ୍ଷ ୯୫ ହଜାର ୮ଶହ ଟଙ୍କା ଉଠାଇଥିବା ଗ୍ରୁପର ସଦସ୍ୟାମାନେ ଆରୋପ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ସ୍ତରୀୟ ସଂଯୋଜକ (ବିଏଲସି) ଓ ବିଡିଓଙ୍କଠାରେ ଲିଖିତ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେମାନେ କହିଛନ୍ତି । ଏନେଇ ଜିଲାପାଳଙ୍କ ଠାରେ ଅପତ୍ତି ଜଣାଇବାକୁ ଆସିଥିବା ବେଳେ ଏଠି ଯଦି ନ୍ୟାୟ ନ ମିଳେ ତାହାଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ମହିଳାମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସବିତା ରାଣୀ ପ୍ରଧାନ, ରାଜସ୍ମିତା ପଣ୍ଡା, ଗୌରୀମଣି ଆଚାର୍ଯ୍ୟ, ତିଳୋତ୍ତମା ପ୍ରଧାନ, ଆରତୀ ରାଉଳ, ମମତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।