ତତଲା କଡ଼େଇରେ ସିଝିବ ଓଡ଼ିଶା -୨୧୦୦ ବେଳକୁ ଅସହ୍ୟ ହେବ ଗରମ

ଭୁବନେଶ୍ୱର : ସାବଧାନ! ଜଳବାୟୁ ପରିବର୍ତନର କୁପ୍ରଭାବରେ ସିଝିବ ସାରା ଓଡ଼ିଶା । ଆଗାମୀ ପିଢ଼ିଙ୍କୁ କଲବଲ କରିବ “ତତଲା ଦାନବ’ । ସଂପ୍ରତି ସବୁଜ ଗୃହ ଗ୍ୟାସ ନିର୍ଗମନ ସ୍ଥିତି ଯାହା, ଯଦି ଏହିପରି ଚାଲେ ପରିବେଶ ବିଗିଡ଼ିଯିବ । ଗ୍ୟାସ ନିର୍ଗମନ ଏହିଭଳି ଜାରି ରହିଲେ ୨୦୧୦ ମସିହାରେ ଥିବା ବାର୍ଷିକ ହାରାହାରି ତାପମାତ୍ରା ୨୮.୮୭ ଡିଗ୍ରିକୁ ଅତିକ୍ରମ କରି ଶତାବ୍ଦୀ ଶେଷ ଆଡ଼କୁ ଏହା ୩୨.୧୯ ଡିଗ୍ରିରେ ପହଞ୍ଚିବ । ବଡ଼ କଥା ହେଉଛି, ୨୧୦୦ ମସିହା ବେଳକୁ ଗରମ ଦିନ ସଂଖ୍ୟା ୩୦ ଗୁଣ ବୃଦ୍ଧି ପାଇବ । ଅର୍ଥାତ ବର୍ଷକୁ ୪୮ ଦିନ ତତଲା କଡ଼େଇରେ ଛଟପଟ ହେବାକୁ ପଡ଼ିବ । ଫଳରେ ଆଗାମୀ ପିଢ଼ି ଏ ପରିବେଶକୁ ସହ୍ୟ କରିବା କାଠିକର ହୋଇଯିବ । ଏପରିକି ଅତ୍ୟଧିକ ଗରମ ଯୋଗୁଁ ୨୧୦୦ ମସିହା ବେଳକୁ ବାର୍ଷିକ ହାରାହାରି ୪୨ହଜାର ୩୩୪ ଜଣ ମୃତ୍ୟୁମୁଖରେ ପଡ଼ିବେ । କ୍ଲାଇମେଟ୍ ଇମ୍ପାକ୍ଟ ଲାବ୍ ପକ୍ଷରୁ ୟୁସିକାଗୋ ଟାଟା ସେଣ୍ଟର ଫର ଡେଭଲପମେଣ୍ଟ୍ ସହଯୋଗରେ ୩୩ ପ୍ରକାର ବିଶ୍ୱସ୍ତରୀୟ ଜଳବାୟୁ ମଡେଲକୁ ଅନୁଶୀଳନ ପୂର୍ବକ ହୋଇଥିବା ଏକ ଗବେଷଣାରୁ ଏଭଳି ସାଂଘାତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରାଯାଇଛି ।
ହୋଟେଲ୍ ଏଚ୍‌ଏଚ୍‌ଆଇରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ “ଭାରତରେ ଜଳବାୟୁ ଓ ପାଣିପାଗ ଝଟକା ଜନିତ ମନୁଷ୍ୟ ଓ ଅର୍ଥନୈତିକ କ୍ଷତି’କୁ ନେଇ ପ୍ରସ୍ତୁତ କରାଯାଇଥିବା ପ୍ରଥମ ସର୍ବେକ୍ଷଣ ରିପୋର୍ଟକୁ ଉନ୍ମୋଚନ ଅବସରରେ ଏପରି ମତ ପ୍ରକାଶ ପାଇଛି । କ୍ଲାଇମେଟ୍ ଇମ୍ପାକ୍ଟ ଲାବର ଗବେଷକ ଡ. ଅମୀର ଜିନା କହିଛନ୍ତି, ଓଡ଼ିଶାରେ ହାରାହାରି ତାପମାତ୍ରା ୨୧୦୦ ମସିହା ବେଳକୁ ଏପରି ସ୍ତରରେ ପହଞ୍ଚିବ, ଯାହା ଜାତୀୟ ହାରକୁ ବି ଅତିକ୍ରମ କରିଯିବ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମୁଖ୍ୟ ମହା ପ୍ରବନ୍ଧକ ପ୍ରଦୀପ କୁମାର ନାୟକ କହିଛନ୍ତି, ଜଳବାୟୁ ପରିବର୍ତନ ଅନୁଶୀଳନ ଅନୁସାରେ ଗରମ ଦିବସ ସଂଖ୍ୟା ୩୦ ଗୁଣ ବୃଦ୍ଧି ପାଇବାକୁ ଯାଉଥିବାରୁ ଏହାର ମୁକାବିଲା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ । ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ଫାକଲ୍ଟି ନିର୍ଦେଶକ ମାଇକେଲ୍ ଗ୍ରିନେ୍‌ଷ୍ଟାନ କହିଛନ୍ତି, ୨୦୧୦ରୁ ୨୦୧୮ ମସିହା ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଭାରତରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା । ସେ ଏକଥା ମଧ୍ୟ କହିଲେ, ଆସନ୍ତା ଦିନଗୁଡ଼ିକ ଆମ ପାଇଁ ବଡ଼ ଆହ୍ୱାନ ଛିଡ଼ା କରିଛି । ଜଳବାୟୁ ପରିବର୍ତନ ଓ ବାୟୁ ପ୍ରଦୂଷଣ ବିପଦକୁ ପରିଚାଳନା କରିବା ଆମ ପିଢ଼ି ପାଇଁ ସବୁଠୁ ବଡ଼ ଆହ୍ୱାନ । ରିପୋର୍ଟ ଉପସ୍ଥାପନ ପରେ ଏକ ଆଲୋଚନାଚକ୍ର ହୋଇଥିଲା । ଏଥିରେ ଅମିର ଜିନାଙ୍କ ସମେତ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଷ୍ଟଡିଜର ନିର୍ଦେଶକ ଡ. ଶ୍ରୀଜିତ ମିଶ୍ର, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥର ସହଯୋଗୀ ପ୍ରଫେସର ଡ. ଅମ୍ବରୀଶ ଦତ୍ତ ପ୍ରମୁଖ ଜଳବାୟୁ ପରିବର୍ତନ ଓ ଏନେଇ ପ୍ରତ୍ୟେକ ମଣିଷ ପାଇଁ ଥିବା ଆହ୍ୱାନ ସମ୍ପର୍କରେ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ