ତଥ୍ୟ ପ୍ରଦାନରେ ବିଳମ୍ବ ଯୋଗୁଁ ଗରଦପୁର ବ୍ଲକ ଏବିଡିଓ ଏବଂ ପିଇଓଙ୍କୁ ୫ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସୂଚନା ଅଧିକାର ଆଇନ ଅନୁଯାୟୀ ଜଣେ ଦରଖାସ୍ତକାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ପ୍ରଦାନ କରିବାରେ ବିଳମ୍ବ ଏବଂ ଅବହେଳା କାରଣରୁ ଓଡିଶା ସୂଚନା କମିଶନ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକର ତତ୍କାଳୀନ ଏବିଡିଓ ଏବଂ ମଧୁଶାସନ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ୫ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ଗ୍ରାମର ଶୁଭ୍ରାନ୍ତ କୁମାର ମହାନ୍ତି ଗତ ୧୦୧୬ମସିହା ସେପ୍ଟେମ୍ବରମାସ ୨୨ତାରିଖରେ ଗରଦପୁର ବ୍ଲକର ଜନ ସୂଚନା ଅଧିକାରୀଙ୍କୁ ସେହି ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ଚତୁର୍ଦଶ ଅର୍ଥ କମିଶନଙ୍କ ୨୦୧୫-୧୬ ଆର୍ଥିକ ବର୍ଷରେ ମଞ୍ଜୁର ଅନୁଦାନରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ ପାଇଁ ଦରଖାସ୍ତ କରିଥିଲେ । କିନ୍ତୁ ଦରଖାସ୍ତକାରୀ ସେହି ତଥ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ନପାଇବାରୁ ଗରଦପୁର ବ୍ଲକର ବିଡିଓ ତଥା ପ୍ରଥମ ଆପିଲେଟ ଅଥରିଟିଙ୍କ ନିକଟରେ ୨୦୧୬ମସିହା ନଭେମ୍ବରମାସ ୨ତାରିଖରେ ଆବେଦନ କରିଥିଲେ । ସେଠାରୁ କୈାଣସି ସୁଫଳ ନପାଇବାରୁ ଦରଖାସ୍ତକାରୀ ସେହି ତଥ୍ୟ ପ୍ରଦାନ କରାଯିବା ଏବଂ ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଓଡିଶା ସୂଚନା କମିଶନଙ୍କ ନିକଟରେ ଗତ ୨୦୧୭ମସିହା ଫେବୃୟାରୀମାସ ୧୦ତାରିଖରେ ଦ୍ୱିତୀୟ ଅପିଲ ଦାଖଲ କଲେ । ଦରଖାସ୍ତକାରୀଙ୍କ ଅଭିଯୋଗ ଅନୁଯାଇ ନିର୍ଦ୍ଧାରିତ ସମୟସୀମା ପରେ ସଂପୃକ୍ତକତ୍ତୃପକ୍ଷ ୫ଶହ ଟଙ୍କା ଜମା କରିବାକୁ କହିଲେ । ଯାହା ସୂଚନା ଅଧିକାର ନିୟମ ଅନୁ୍‌ଯାୟୀ ଗ୍ରହଣୀୟ ନୁହେଁ । ପରନ୍ତୁ କମିଶନଙ୍କ ନିର୍ଦେଶ ପରେ ମଧ୍ୟ ଦରଖାସ୍ତକାରୀଙ୍କୁ ସଂପୃକ୍ତ ତଥ୍ୟ ବିନା ମୂଲ୍ୟରେ ପ୍ରଦାନ କରାଗଲା ନାହିଁ । କମିଶନଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତରରେ ଗରଦପୁର ବ୍ଲକର ତତ୍କାଳୀନ ଏବିଡିଓ ତଥା ଜନ ସୂଚନା ଅଧିକାରୀ ଦେବେନ୍ଦ୍ର ନାଥ ସ୍ୱାଇଁ ଜଣାଇଥିଲେ ଯେ ଦରଖାସ୍ତକାରୀ ପ୍ରଥମ ଅପିଲେଟ କତ୍ତୃପକ୍ଷଙ୍କ ଦ୍ୱାରା ଘଟଣାର ଶୁଣାଣୀ ବେଳେ ଉପସ୍ଥିତ ଥାଇ ସୂଚନା ଗ୍ରହଣ କରିବାକୁ ମନାକରିଥିଲେ । ଅନ୍ୟ ପକ୍ଷରେ ସେହି ବ୍ଲକର ମଧୁଶାସନ ଗ୍ରାମପଞ୍ଚାୟତର ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଜନ ସୂଚନା ଅଧିକାରୀ ବିନୟଲକ୍ଷ୍ମୀ ମଲିକ କମିଶନଙ୍କୁ ଜଣାଇଲଥିଲେ ଯେ ତାଙ୍କର ଅସୁସ୍ଥତା ପାଇଁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦରଖାସ୍ତକାରୀ ମାଗିଥିବା ତଥ୍ୟ ପ୍ରଦାନ କରିପାରିଲେ ନାହିଁ । ଉଭୟ ଜନ ସୂଚନା ଅଧିକାରୀ ସେମାନଙ୍କ ଦାୟୀତ୍ୱରେ ଅବହେଳା କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ପ୍ରଦାନରେ ବାଧା ସୃଷ୍ଟି କରିଥିବାରୁ କମିଶନ ଉଭୟ ଅଧିକାରୀଙ୍କ ଠାରୁ ୫ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବାକୁ ନିର୍ଦେଶ ଦେଇଛନ୍ତି । ଏହି ଜୋରିମାନା ଅର୍ଥ ଉଭୟ ଅଧିକାରୀ ଜମା ନଦେଲେ ସଂପୃକ୍ତ ଅଧିକାରୀ ଦ୍ୱୟଙ୍କ ଡିଡିଓ ସେମାନଙ୍କ ଦରମା କିମ୍ବା ପେନସନରୁ ୨ଟି ସମାନ କିସ୍ତିରେ କାଟି ସରକାରୀ ତହବିଲରେ ଜମା ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି । ଏଥିସହିତ ଗରଦପୁର ବ୍ଲକର ବର୍ତ୍ତମାନର ଜନସୂଚନା ଅଧିକାରୀ ଏହି ନିର୍ଦେଶ ପଠାଯିବାର ୩୦ଦିନ ମଧ୍ୟରେ ଦରଖାସ୍ତକାରୀଙ୍କୁ ତଥ୍ୟ ପ୍ରଦାନ କରିବାକୁ କମିଶନ ନିର୍ଦେଶ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ