ତପ୍ତପାଣି ଆଶ୍ରମ ବିଦ୍ୟାଳୟରୁ ଛାତ୍ରୀ ନିଖୋଜ ଘଟଣା
(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଗଜପତି ଜିଲା ସୀମାନ୍ତ ଅଞ୍ଚଳ ତପ୍ତପାଣି ସ୍ଥିତ ଆଶ୍ରମ ବିଦ୍ୟାଳୟରୁ ଛାତ୍ରୀ ନିଖୋଜ ଘଟଣାକୁ ସମ୍ପ୍ରତ୍ତି ୩ ବର୍ଷ ଅତିବାହିତ ହୋଇଯାଇଥିବା ବେଳେ ସେ ଜୀବିତ କିମ୍ବା ମୃତ ଆଜି ସୁଦ୍ଧା ସ୍ପଷ୍ଟୀକରଣ ହୋଇନଥିବା ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ନିଜର କୋମଳମତି ଶିଶୁକୁ ହରାଇବାକୁ ପଡିଛି ବୋଲି ନିଖୋଜ ଛାତ୍ରୀଙ୍କ ମା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାରେ କେବଳ ସମ୍ପୃକ୍ତ ସମୟରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଦିଆଯାଇ ଚୁପ୍ ବସିଥିବା ବେଳେ ଆଦିବାସୀ ଅଧୁଷିତଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି ବୋଲି ସେ କହିଛନ୍ତି । ପ୍ରକାଶ ଯେ, ୨୦୧୬ ମସିହା ଅଗଷ୍ଟ ୨ରେ ତପ୍ତପାଣି ସ୍ଥିତ ଆଶ୍ରମ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଅନ୍ତେବାସୀ ଛାତ୍ରୀ ଶିବାନୀ ଗମାଙ୍ଗ (୬) ବିଦ୍ୟାଳୟରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଶିବାନୀ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ମଧ୍ୟାହ୍ନ ସମୟ ଠାରୁ ସେ ଆଉ ବିଦ୍ୟାଳୟରେ ନଥିଲେ । ପରେ ବହୁ ଖୋଜା ଖୋଜି କରିବା ପରେ କୌଣସି ପ୍ରକାର ସନ୍ଧାନ ନମିଳିବାରୁ ସେତେବେଳେ ପାଟପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ପାହାଡ ଏବଂ ଜାତୀୟ ରାଜପଥ ୩୨୬ ରାସ୍ତା ପାଶ୍ୱର୍ରେ ରହିଥିବା ଏହି ବିଦ୍ୟାଳୟରୁ ହଠାତ୍ ଜଣେ ଅନ୍ତେବାସୀ ବିଦ୍ୟାଳୟରେ ଶିକ୍ଷା ଦାନ ଚାଲିଥିବା ସମୟରେ ଉଭାନ୍ ହୋଇଯିବା ଏକ ପ୍ରକାର ଅଞ୍ଚଳରେ ସ୍ତବ୍ଧ କରିଦେଇଥିଲା । ଘଟଣାରେ ବ୍ଳକ୍ ପ୍ରଶାସନ ଏବଂ ଗ୍ରାମ୍ୟ ମଙ୍ଗଳ ଅଧିକାରୀଙ୍କୁ ତକ୍ରାଳୀନ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ କୈଫଏତ ମାଗିବା ପରେ ବ୍ରହ୍ମପୁର ସହକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉକ୍ତ ବିଦ୍ୟାଳୟକୁ ପରିଦର୍ଶନରେ ଆସି ସବିଶେଷ ତଥ୍ୟ ସଂଗ୍ରହ କରି ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ଦାଖଲ କରିଥିଲେ । କ୍ଷତିପୂରଣ ରାଶି ଘୋଷଣା କରାଯିବା ପରେ କେବଳ ଆଶ୍ୱାସନା ଦିଆଯାଇଥିବା ବେଳେ ନିଖୋଜ ଶିବାନୀ ଜୀବିତ କି ମୃତ ସେନେଇ ଅଦ୍ୟାବଧି ସ୍ପଷ୍ଟ ହୋଇପାରୁନି । ଛାତ୍ରୀ ଜଣକଙ୍କ କୌଣସି ଶବ ମିଳିନଥିବା ବେଳେ ଆଜି ସୁଦ୍ଧା କୌଣସି ସନ୍ଧାନ ମିଳିପାରିନାହିଁ । ସେପଟେ ପୋଲିସ ପକ୍ଷରୁ କେବଳ ଏକ ନିଖୋଜ ମାମଲାର ତଦନ୍ତ ପୋଲିସ ଡାଏରୀରେ ରହିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଅବଧି ଶେଷ ହୋଇ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଏବେ ଚିନ୍ତା ମୁକ୍ତ ହୋଇଯାଇଛନ୍ତି । ପାଟପୁର ଥାନାରେ କେସନଂ ୧୨୮ା୧୬ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ତାହାର ତଦନ୍ତ ରିପୋର୍ଟ କିଭଳି ଶେଷ ହୋଇଛି ତାହା ମଧ୍ୟ ଜଣାପଡିନାହିଁ । ସରକାରୀ ରିପୋର୍ଟରେ ତଦନ୍ତ ଶେଷ ହୋଇଯାଇଥିବା ବେଳେ ୬ ବର୍ଷର କୋମଳ ମତି ଶିଶୁକୁ ହରାଇ ବସିଥିବା ମାଁ ଅଦ୍ୟାବଧି ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ୍ୟାୟ ଦେବା ପାଇଁ ଗୁହାରୀ ଜଣାଇଛନ୍ତି । ଏନେଇ ଗ୍ରାମ୍ୟ ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ସାମନ୍ତସିଂହାରଙ୍କୁ ପଚରାଯିବାରେ କହିଛନ୍ତି ଯେ, ମୃତ କି ଜୀବିତ ତାହାର ସ୍ପଷ୍ଟୀକରଣ ଏଯାବତ୍ ହୋଇନାହିଁ ଅନ୍ୟପକ୍ଷରେ ଛାତ୍ରୀଙ୍କ ପରିବାରକୁ ଅନୁକମ୍ପାରାଶି ଯୋଗାଇଦେବା ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ବନ୍ଦୋବସ୍ତ କରାଯାଉଛି ବୋଲି କହିଛନ୍ତି ।