ତପ୍ତପାଣି ଘାଟିରେ ବସ୍ ଓଲଟି ୮ ମୃତ, ବସ୍ରେ ଚାପି ହୋଇ ରହିଛନ୍ତି ୪ରୁ ଅଧିକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ବନ ବିଭାଗ ପରିସୀମା ଅଧିନରେ ଥିବା ତପ୍ତପାଣି ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ଭୋର ୩ଘଣ୍ଟା ସମୟରେ ଘନ କୁହୁଡି ଓ ବ୍ରେକ ଫେଲ୍ ଯୋଗୁଁ ତପ୍ତପାଣି ଘାଟିରେ ରାୟଗଡାରୁ ବ୍ରହ୍ମପୁର ଜାଉଥିବା ଏକ ଘରୋଇ ବସ୍ ଓଲଟି ୧୦ଫୁଟ ତଳକୁ ଖସି ପଡିଥିଲା । ଏଥିରେ ଘଟଣା ସ୍ଥଳରେ ୫ ଓ ଡାକ୍ତରଖାନାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଭୋର ୩ଘଣ୍ଟା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବସ୍ରେ ଚାପି ହୋଇ ୪ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ହାତ ହଲାଇ ଉଦ୍ଧାର ପାଇଁ ଦୀର୍ଘ ୮ଘଣ୍ଟା ଧରି ଆକୁଳ ଚିତ୍କାର କରୁଥିବାବେଳେ ଅନ୍ୟ ୩ଜଣ ସେପରି ପଡିରହିଛନ୍ତି । ତେଣୁ ଏହି ୩ଜଣ ମୃତ୍ୟୁବରଣ କରିଥିବା ଆଶଙ୍କା ପ୍ରକାଶ ପାଇଛି । ଏହି ବସ୍ରେ ବସ୍ କର୍ମଚାରୀଙ୍କୁ ମିସାଇ ମୋଟ ୫୦ଜଣ ଯାତ୍ରୀ ରହିଥିଲେ । ପ୍ରାୟ ସମସ୍ତେ ଏହି ଘଟଣାରେ ଆହତ ହୋଇଛନ୍ତି । ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି । ଦୁର୍ଘଟଣା ପରେ ଅଞ୍ଚଳବାସୀଙ୍କ ସହ ପୋଲିସ ଓ ଅଗ୍ନିଶମ ବାହିନି ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗ୍ୟାସ କଟର ଦ୍ୱାରା ଦୀର୍ଘ ସମୟ ଧରି ବସ୍ରେ କଟା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହା ସମ୍ପୁର୍ଣ ହେଲେ ଚାପି ହୋଇଥିବା ୪ଜଣ ବସରୁ ଉଦ୍ଧାର ହେବେ । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ବଡ ଡାକ୍ତରଖାନାରେ ୨୬ଜଣ ଯାତ୍ରୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସମସ୍ତ ଯାତ୍ରୀ ବିପଦ ମୁକ୍ତ ଥିବା ସୁଚନା ମିଳିଛି ।