ତବଲିଗି ମୁଖ୍ୟ ମୌଲାନା ସାଦ ଓ ଅନ୍ୟ ୬ ଜଣଙ୍କ ନାଁରେ ହତ୍ୟା ଷଡ଼ଯନ୍ତ୍ର ମାମଲା

ନୂଆଦିଲ୍ଲୀ: ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ ଖାଣ୍ଡାଲଭି ଓ ଅନ୍ୟ ୬ ଜଣଙ୍କ ନାଁରେ ୩୦୪ ଆଇପିସିରେ ହତ୍ୟା ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେମାନଙ୍କ ଏହି ଷଡ଼ଯନ୍ତ୍ରମୂଳକ କାର୍ଯ୍ୟ ପାଇଁ ଦେଶରେ କୋରୋନା ବ୍ୟାପିବା ସହ ଲୋକଙ୍କ ଜୀବନ ହାନି ହୋଇଛି। ମୌଲାନା ସାଦଙ୍କ ବିରୋଧରେ ଆଇପିସି ୩୦୪ ଲାଗିଥିବା ନେଇ ଦିଲ୍ଲୀ ପୋଲିସ ପିଆରଓ ମନଦୀପ ରନ୍ଧାୱା ସ୍ପଷ୍ଟ କରିଛନ୍ତି। ପୂର୍ବରୁ ମୌଲାନା ସାଦଙ୍କ ବିରୋଧରେ ଲାଗୁ ହୋଇଥିବା ଆଇପିସି ଧାରା ଜାମନଯୋଗ୍ୟ ଥିଲା ବେଳେ ଏବେ ଲାଗୁ ହୋଇଥିବା ଧାରା ୩୦୪ ଆଇପିସି ଜାମିନବିହୀନ ବୋଲି ସ୍ପଷ୍ଟ ହୋଇଛି। ଦୋଷ ପ୍ରମାଣିତ ହେଲେ ମୌଲାନା ସାଦଙ୍କ ସମେତ ଅନ୍ୟ ୬ ଜଣଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଶାଖା ପକ୍ଷରୁ ମଧ୍ୟ ତବଲିଗି ଜମାତରେ ଧର୍ମସଭା ଆୟୋଜନ କରିବା ନେଇ ୧୮ ଜଣଙ୍କୁ ନୋଟିସ କରାଯାଇଛି। ଲକଡାଉନ ଘୋଷଣା ସତ୍ତ୍ବେ ସେମାନେ କିପରି ଭାବେ କଟକଣା ଭାଙ୍ଗି ସେଠାରେ ଧର୍ମସଭା କରୁଥିଲେ, ତାହା ଜଣାଇବା ପାଇଁ ନୋଟିସ କରାଯାଇଛି। ଏଥିସହ ଏହି ଧର୍ମସଭାରେ କେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ କ୍ରାଇମବ୍ରାଞ୍ଚ ପାଖରେ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ପୂର୍ବରୁ ଦିଲ୍ଲୀ ପୋଲିସ ପକ୍ଷରୁ ତବଲିଗି ମୁଖ୍ୟଙ୍କୁ ୨୬ଟି ପ୍ରଶ୍ନ କରାଯାଇଥିଲା। ମାତ୍ର ତବଲିଗି ମୁଖ୍ୟ ତାଙ୍କ ଓକିଲଙ୍କ ଜରିଆରେ ଦେଇଥିବା ଉତ୍ତରରେ ଜଣାଇଛନ୍ତି ଯେ ସେ ସେଲ୍ଫ କ୍ବାରେଣ୍ଟାଇନରେ ଥିବାରୁ ମର୍କଜରେ ନ ଥିଲେ, ତେଣୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ।
ଏଠାରେ ସୂଚନାଯୋଗ୍ୟ ଯେ କ୍ବାରେଣ୍ଟାଇନ ପିରିୟଡ ଶେଷ ହେବା ମାତ୍ରେ ଦିଲ୍ଲୀ ପୋଲିସ ମୌଲାନ ସାଦଙ୍କ ବୟାନ ରେକର୍ଡ କରିବ। ଏଥିସହ ୧୮୯୦ ଜଣେ ବିଦେଶୀ ନାଗରିକଙ୍କ ବିରୋଧରେ ପୋଲିସ ଲୁକଆଉଟ୍ ସର୍କୁଲାର ଜାରି କରି ସାରିଛି। ସେମାନେ ଭାରତରେ କୌଣସି ନା କୌଣସି ଠାରେ ଆତ୍ମଗୋପନ କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଏହି ବିଦେଶୀ ନାଗରିକମାନଙ୍କୁ ମଧ୍ୟ ଠାବ କରିବା ପାଇଁ ପୋଲିସ ତା’ର ଉଦ୍ୟମକୁ ବ୍ୟାପକ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ