ତାଣ୍ଡବ ରଚିଲା କାଳବୈଶାଖୀ, ଭାଙ୍ଗିଲା ବାଇକ୍‌, ଘର ଓ ହନୁମାନ ମନ୍ଦିର

ଯୋଡା (ସମୀର କୁମାର ଦାସ) : ଯୋଡା ସହରରେ ଗୁରୁବାର ଅପରାହ୍ନରେ ତାଣ୍ଡବ ରଚିଛି କାଳବୈଶାଖୀ । ଗୁରୁବାର ଅପରାହ୍ନ ପ୍ରାୟ ୪ ଟା ୩୦ ମିନିଟ୍ ସମୟରେ ଆକାଶ ପରିସ୍କାର ଥିବା ବେଳେ ହଠାତ କଳାହାଣ୍ଡିଆ ମେଘ ଘୋଡାଇ ଆସି ବହୁତ ବେଗରେ ପବନ ଆରମ୍ଭ ହୋଇଥିଲା । କାଳବୈଶାଖୀ ମାତ୍ର ୧୫ମିନିଟ୍ ଯୋଡା ସହରରେ ତାଣ୍ଡବ ରଚିଥିଲା । ଫଳରେ ଯୋଡାବାସୀ ଭୟଭୀତ ହୋଇପଡିଥିଲେ । ପବନର ବେଗ ୭୦ କମି ଅଧିକ ଥିବା ଏକ ଘୋଇ ମିଟେରୋଲୋଜିକାଲ ବିଭାଗ ପକ୍ଷରୁ ଜଣାପଡିଛି । ଏହି କାଳବୈଶାଖୀ ଯୋଗୁ ସହରରେ ଥିବା ବହୁ ପୁରାତନ ଗଛ ଉପୁଡିଯିବା ସହ ବହୁ ସ୍ଥାନରେ ଘର ଛପର ଉଡିଯାଇଥିଲା । ଏଥି ସହ ଯୋଡା ସହରର ଷ୍ଟେଟ୍ ବ୍ୟାଙ୍କ ନିକଟରେ ଅବସ୍ଥିତ ହନୁମାନ ମନ୍ଦିରର ବେଢାରେ ଥିବା ବହୁ ପୁରାତନ ବିଶାଳକାୟ ଅଶ୍ୱସ୍ଥ ଗଛଟି ଉପୁଡି ପଡିବାରୁ ହନୁମାନ ମନ୍ଦିର ପଛପାଶ୍ୱର୍ ଭାଙ୍ଗିଯାଇଥିବା ବେଳେ ମନ୍ଦିର ନିକଟରେ ଥିବା ଏକ ମାର୍କେଟ କମ୍ପେ୍ଲକ୍ସର ସିଡି ଘର ଭାଙ୍ଗିଯାଇଛି । ସେହିପରି ଏହି ଗଛ ତଳେ ଦୁଇଟି ବାଇକ୍ ଚାପି ହୋଇରହିଛି ଏବଂ ନିକଟରେ ଥିବା ବିଦ୍ୟୁତ ତାର ଛିଡିଯାଇଥିବା ବେଳେ ବିଦ୍ୟୁତ ଖୁନ୍ଟଟି ଉପୁଜଡିପଡିଛି । ଫଳରେ ସହରରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏହି ବିଶାଳକାୟ ଅଶ୍ୱସ୍ଥ ଗଛଟି ଉପୁଡି ପଡି ରାଜ୍ୟ ରାଜପଥ ନଂ ୨ ରଣାଶାଳ- ବାମେବାରୀ ରାସ୍ତାରେ ଉପରେ ପଡିରହିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ତେବେ ଏହି ଗଛଟି ପଡି କେହି ମୃତାହତ ହୋଇନଥିବାରୁ ସ୍ଥାନୀୟ ଲୋକେ ଏହା ହନୁମାନଙ୍କର ଆର୍ଶୀବାଦ ବୋଲି କହିଥିଲେ । ଖବର ଲେଖା ହେବା ବେଳକୁ ପୌରପାଳିକା ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ