‘ତାନାଜୀ’ର ଜଲୱା ଜାରି, ବକ୍ସ ଅଫିସ୍ରେ ଡବଲ ସେଞ୍ଚୁରୀ
ମୁମ୍ବାଇ : ବଲିଉଡ୍ର ବରିଷ୍ଠ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିଅର’ର ଜଲୱା ଏବେ ବି ଜାରି ରହିଛି। ୧୫ ଦିନରେ ବକ୍ସ ଅଫିସ୍ରେ ୨୦୦ କୋଟି ଟଙ୍କା କଲେକ୍ସନ୍ କରି ଏହି ସିନେମା ଏକ ନୂଆ ରେକର୍ଡ କରିଛି। ଏହି ସପ୍ତାହରେ କଙ୍ଗନା ରାନାୱତଙ୍କ ଫିଲ୍ମ ‘ପଙ୍ଗା’ ଓ ବରୁଣ ଧୱନଙ୍କ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର’ ରିଲିଜ୍ ହେବା ସତ୍ତ୍ବେ ‘ତାନାଜୀ’ର କଲେକ୍ସନ୍ ଧିମା ହେବାରେ ନାଁ ନେଉ ନାହିଁ। ‘ତାନାଜୀ’ ରିଲିଜ୍ ହେବାର ୧୫ ଦିନ ପରେ ୨୦୦ କୋଟି ଟଙ୍କା କଲେକ୍ସନ୍ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଗଣତନ୍ତ୍ର ଦିବସ ମାହୋଲ ଚାଲିଥିବାରୁ ଏହି ସିନେମା ଏବେ ବି ଭଲ ଚାଲିଥିବା କୁହାଯାଉଛି। ‘ତାନାଜୀ’ ଫିଲ୍ମକୁ ଦର୍ଶକଙ୍କ ଉତ୍ତମ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଏହାର ସୂଚନା ଦେଇଛନ୍ତି।
ତରନଙ୍କ ମୁତାବକ ତାନାଜୀ ୨୦୦ କୋଟି କ୍ଲବ୍ରେ ଏଣ୍ଟ୍ରି କରିସାରିଛି। ଫିଲ୍ମର ମୋଟ୍ କଲେକ୍ସନ୍ ୨୦୨.୮୩ କୋଟି ଟଙ୍କାରେ ପହଞ୍ଚିଛି। ତୃତୀୟ ସପ୍ତାହରେ ମଧ୍ୟ ‘ତାନାଜୀ’ର ଜଲୱା କାଏମ ରହିଛି। ଏହି କ୍ରମରେ ୨୦୦ କୋଟି କ୍ଲବ୍ରେ ପହଞ୍ଚିଥିବା ୨୦୨୦ର ପ୍ରଥମ ସିନେମା ପାଲଟିଛି ‘ତାନାଜୀ: ଦ ଅନସଙ୍ଗ ୱାରିଅର’। ସୂଚନାଯୋଗ୍ୟ ଯେ ୨୪ ଜାନୁଆରୀ ଶୁକବ୍ରାର କଙ୍ଗନାଙ୍କ ‘ପଙ୍ଗା’ ଓ ବରୁଣଙ୍କ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ୩ଡି’ ରିଲିଜ୍ ହୋଇଥିଲା। କିନ୍ତୁ ତାନାଜୀର କଲେକ୍ସନ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ। ‘ପଙ୍ଗା’ ସିନେମାଟି ପ୍ରଥମ ଦିନରେ ୨.୭୦ କୋଟି ଟଙ୍କା ଓ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ୩ଡି’ ୧୦.୨୬ କୋଟି ଟଙ୍କା କଲେକ୍ସନ୍ କରିଛି।
‘ତାନାଜୀ: ଦ ଅନସଙ୍ଗ ୱାରିଅର’ ସିନେମାରେ ଅଜୟ ଦେବଗନ, କାଜୋଲ ଓ ସୈଫ ଅଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦେଶନା ଓମ ରାଉତ ଦେଇଛନ୍ତି। ଏହି ସିନେମାରେ ଅଜୟ ଦେବଗନ ମରାଠା ସାମ୍ରାଜ୍ୟର ସାହସୀ ସୁବେଦାର ତାନାଜୀ ମାଲୁସରେ ଚରିତ୍ରରେ ଅଭିନୟ କରୁଛନ୍ତି। କାଜୋଲ ଏଥିରେ ତାଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସରେ ଓ ସୈଫ ଉଦୟଭାନ ରାଠୋଡ ଚରିତ୍ରରେ ଅଭିନୟ କରିଥିଲେ।