ତାପସୀଙ୍କ କଡ଼ା ଜବାବ
ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମରେ ନିଜ ଜବରଦସ୍ତ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ତା’ଠୁ ଅଧିକ ନିଜ ବେଖାତିର୍ ପଣିଆକୁ ନେଇ ଚର୍ଚ୍ଚିତ । ଅନେକ ସମୟରେ ସେ ବିଭିନ୍ନ ବିବାଦରେ ଫସି ଯାଆନ୍ତି । ସୋସିଆଲ୍ ମିଡିଆରେ ତାଙ୍କୁ ଅନେକ ସମୟରେ ଟ୍ରୋଲ୍ ମଧ୍ୟ କରାଯାଏ । ହେଲେ ଏସବୁ ପରିସ୍ଥିତିରେ ତାପସୀ ବେଖାତିର୍ ଭାବେ ଯେଉଁ ପ୍ରତିକ୍ରିୟା ଦେଇଥାନ୍ତି ତାହା ଟ୍ରୋଲର୍ସଙ୍କ ମୁହଁ ଚୁପ୍ କରିଦିଏ । ଏମିତି କିଛି ଏବେ ଦେଖିବାକୁ ମିଳିଛି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ଭାରତର ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ ତାପସୀ ପନ୍ନୁ । ଏହି ଅବସରରେ ସେ ସିଧାସଳଖ ଭାବରେ ଦର୍ଶକଙ୍କ ସହ କଥା ହୋଇଥିବା ଦେଖାଯାଇଥିଲା । ତେବେ ଏହି ସମୟରେ ଜଣେ ଯୁବକ ତାପସୀଙ୍କୁ ହିନ୍ଦିରେ କଥା ହେବା ପାଇଁ କହିବା ପରେ ତାପସୀ ଯେଉଁଭଳି ଭାବରେ ତାଙ୍କୁ ଚୁପ୍ କରାଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ଛିଡ଼ା ହୋଇ ତାପସୀଙ୍କୁ ହିନ୍ଦୀରେ କଥା ହେବା ପାଇଁ କହିଥିଲେ । ଯୁବକଙ୍କ ଏଭଳି କଥା ଶୁଣି ତାପସୀ କହିଥିଲେ, “କ’ଣ ଏଠାରେ ଉପସ୍ଥିତ ଥିବା ଲୋକେ ସମସ୍ତେ ହିନ୍ଦୀ ବୁଝୁଛନ୍ତି କି?’ ତାପସୀଙ୍କ ଏ କଥା ଶୁଣି ଯୁବକ ଜଣଙ୍କ ତାଙ୍କୁ କହିଥିଲେ, “ଆପଣ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ହିସାବରେ ହିନ୍ଦୀ ଭାଷାରେ କଥା ହେବା ଉଚିତ୍ ।’ ଯୁବକଙ୍କଠାରୁ ଏଭଳି କଥା ଶୁଣି ତାପସୀ କହିଥିଲେ, “ମୁଁ ସାଉଥ୍ ଇଣ୍ଡିଆନ୍ ଫିଲ୍ମରେ ମଧ୍ୟ କାମ କରିଛି । ଏବେ ମୁଁ ତାମିଲ-ତେଲୁଗୁ ଭାଷାରେ କଥା ହେବି କି?’ ଯାହା ପରେ ଯୁବକ ଚୁପ୍ ହୋଇ ନିଜ ସ୍ଥାନରେ ବସି ପଡ଼ିଥିଲେ । ତାପସୀଙ୍କର ଏଭଳି କଡ଼କ ଜବାବ୍ ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ଜୋରରେ ତାଳି ମାରିଥିଲେ । ବର୍ତ୍ତମାନ ସୋଶାଲ୍ ମିଡିଆରେ ତାପସୀଙ୍କର ଏହି ଭିଡିଓଟି ଭାଇରାଲ୍ ହେଉଛି । ସମସ୍ତେ ତାପସୀଙ୍କର ତାରିଫ୍ କରୁଛନ୍ତି । ସୂଚନାଯାଗ୍ୟ, ତାପସୀ ବର୍ତ୍ତମାନ ନିକଟରେ ରିଲିଜ୍ ହୋଇଥିବା ନିଜ ଅଭିନୀତି ଫିଲ୍ମ “ଷାଣ୍ଡ କୀ ଆଁଖ୍’ର ସଫଳତାକୁ ସେଲେବ୍ରେଟ୍ କରୁଛନ୍ତି । ତେବେ ଏହି ଫିଲ୍ମ ପରେ ତାଙ୍କୁ ଆସନ୍ତା ବର୍ଷ ଅନୁଭବ ସିହ୍ନାଙ୍କ ଫିଲ୍ମ “ଥପ୍ପଡ଼’ରେ ଦେଖିବାକୁ ମିଳିବ ।


