ତାମିଲନାଡୁରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ତାମିଲନାଡୁ ରାଜ୍ୟର ଶିବଗଙ୍ଗା ଜିଲ୍ଲା ମାଲକୋଟାଇ ଗ୍ରାମରେ ଥିବା ମେଘା ବ୍ଳ୍ଯୁ ମେଟାଲ କମ୍ପାନୀରେ କାମ କରୁଥିବା ବେଳେ ଏକ ପଥର ଖସିଯିବା ଫଳରେ ଚାପି ହୋଇ ଜଣେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ହେଲେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁଶପଡା ଗ୍ରାମ ଚମ୍ପା ସାହିର ବି . ଅରକ୍ଷିତ ଦୋରା(୨୮)। ସୂଚନା ପ୍ରକାରେ, ଅରକ୍ଷିତ ଦୀର୍ଘ ବର୍ଷ ଧରି ଉକ୍ତ କ୍ରସର କମ୍ପାନୀରେ ଜେସିବି ଚାଳକ ରୂପେ କାର୍ଯ୍ୟ କରି ଆସୁଥିଲେ । ଗତ ଦୁଇବର୍ଷ ପୂର୍ବେ ବିବାହ କରିଥିବା ବେଳେ ନିକଟରେ ତାଙ୍କର ଏକ ୬ ମାସର ଶିଶୁ ମଧ୍ୟ ରହିଅଛି । ପରିବାର ଚଳାଇବା ନିମନ୍ତେ ସେଠାରେ ସେ କାମ କରୁଥିଲେ । ସୋମବାର ସକାଳ ୧୦ ଟା ସମୟରେ କ୍ରସର ନିକଟରେ କାମ କରୁଥିବା ବେଳେ ହଠାତ ଏକ ବଡ଼ ପଥର ଖସି ପଡ଼ିଥିବାରୁ ସେହି ପଥର ତଳେ ୬ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ମଙ୍ଗଳବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେଥିମଧ୍ୟରୁ ସେଠାକାର ୪ ଜଣ ରହିଥିବା ବେଳେ ଅରକ୍ଷିତଙ୍କ ମଧ୍ୟ ମୃତଦେହ ମିଳିଥିଲା । ବୁଧବାର ମଧ୍ୟ ଅନ୍ଯ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ କମ୍ପାନୀ ପକ୍ଷରୁ ଅରକ୍ଷିତଙ୍କ ପରିବାରକୁ ସୂଚନା ଦିଆଯିବା ପରେ ପରିବାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ମଙ୍ଗଳବାର ପରିବାର ଲୋକେ ସେଠାରେ ପହଞ୍ଚି ଥିବା ଖବର ମିଳିଥିଲେ ମଧ୍ୟ ଅରକ୍ଷିତଙ୍କ ଶବ ଭିଟାମାଟିକୁ ଆଣିବା ଏବଂ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।