ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା ଘଟଣା : ଜେଲ ଗଲେ ଦୁଇ ଶ୍ରମିକ ଦଲାଲ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ତାମିଲନାଡୁ ତିରିପୁର ଜିଲ୍ଲା ପଙ୍ଗାଲୁ ଗ୍ରାମ ନିକଟ ଏକ  ବୋର୍ ୱେଲ୍ ଗ୍ୟାରେଜ ର ଏକ ଘର ମଧ୍ୟରେ ଅଟକ ଥିବା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର  ୩ ନିର୍ଯ୍ୟାତିତ ଓଡ଼ିଆ ଶ୍ରମିକ ବି. ବୁଡୁ ରେଡ୍ଡୀ,ବି.ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ ଏବଂ ଏସ.ଧୋବା ଦୋରା ଙ୍କୁ ଗତ ବୁଧବାର ଦିଗପହଣ୍ଡି ଥାନା ପୁଲିସ ଟିମ୍ ସେଠାକାର ପୁଲିସ ସହାୟତାରେ ଉଦ୍ଧାର କରିଥିଲେ।  ୩ ଜଣ ଶ୍ରମିକ ଗତ କିଛି ଦିନ ପୂର୍ବେ କାମ ପାଇଁ ଜଣେ ଶ୍ରମିକ ଦଲାଲ ଙ୍କ ସହ ତାମିଲନାଡୁ  ପଙ୍ଗାଲୁ ଗ୍ରାମ ସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରି କୁ ଯାଇଥିଲେ।  ସେଠାରେ ସେମାନଙ୍କୁ  କାମ ଦିଆଯିବ ବୋଲି କୁହାଯାଇଥିଲା।ସେଠାରେ କାମ ନ ମିଳିବାରୁ ସେମାନେ ଗାଁକୁ ଫେରିବା ପାଇଁ ସେଠାକାର ରେଲୱେ ଷ୍ଟେସନ କୁ ଚାଲି ଆସିଥିଲେ।ସେଠାରୁ ଅନ୍ୟଜଣେ ଶ୍ରମିକ ଦଲାଲ  କାମ ଯୋଗାଇ ଦେବାର ପ୍ରତିଶୃତି ଦେଇ ସେମାନଙ୍କୁ ପୁଣି ଡାକି ନେଇଥିଲେ। ସେମାନଙ୍କୁ ଏକ ପାଣି ବୋରୱେଲ ଗ୍ୟାରେଜ ର ଏକ ଘର ଭିତରେ ରଖାଯାଇଥିଲା। ଜଣେ ଶ୍ରମିକ ଦଲାଲ ଗ୍ୟାରେଜ ମାଲିକ ଙ୍କୁ ଶ୍ରମିକ ଯୋଗାଇଦେଇଥିବା କହି ତାଙ୍କ ନିକଟରୁ ଶ୍ରମିକ ଙ୍କ ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କା ନେଇଯାଇଥିଲେ। ଗ୍ୟାରେଜ ମାଲିକ ସେମାନଙ୍କୁ ସେଠାରେ କ୍ରୀତଦାସ ଭଳି ଖଟାଇବା ସହ ଏକ ଘର ଭିତରେ ନଜରବନ୍ଦୀ କରି ବନ୍ଧକ ରଖିଥିଲେ।ଗ୍ୟାରେଜ ରେ ସେମାନଙ୍କୁ ଆବର୍ଜନା ସଫା କରିବା। ମାଟି ଖୋଳିବା।ପାଇପ ବୋର୍ ୱେଲ ଗାଡ଼ି ଗୁଡ଼ିକୁ ସଫା କରିବା ଭଳି ବିଭିନ୍ନ କାମ କରିବାକୁ ବାଧ୍ୟ କରାଯାଉଥିଲା। ସେଠାରେ ସେମାନଙ୍କୁ ପେଟପୁରା ଖାଇବାକୁ ଦିଆଯାଉନଥିଲା। ଅଧିକା ମଜୁରୀ ମିଳିବା ଲୋଭରେ ତାମିଲନାଡୁ ଯାଇଥିବା ୩ ଶ୍ରମିକ ସେଠାରେ ଫସି ଯାଇଥିଲେ। ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କା ର କାମ ଆଦାୟ କରାଯିବା ପରେ ତୁମ ମାନଙ୍କୁ ଛଡାଯିବ ବୋଲି ଗ୍ୟାରେଜ ମାଲିକ ସେମାନଙ୍କୁ ରୋକ୍ ଠୋକ୍ ଶୁଣାଇଦେଇଥିଲେ। ସେମାନଙ୍କ ପ୍ରାପ୍ୟ ମଜୁରୀ ମାଗିବାରୁ ସେଠାରେ ସେମାନଙ୍କୁ ଗ୍ୟାରେଜ ମାଲିକ ଙ୍କ ଇଙ୍ଗିତ ରେ ଦୁଇଜଣ ଶ୍ରମିକ ଦଲାଲ  ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ।ଏସ.ଧୋବା ଦୋରା କୌଶଳକ୍ରମେ  ଫୋନ ଯୋଗେ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ।ଧୋବା ଙ୍କ ବାପା ଦୁର୍ଯ୍ୟୋଧନ ଦୋରା ଗତ  ଶନିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ  ପାତ୍ର ଥାନା ମାମଲା ନଂ.୪୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପରେ ତାମିଲନାଡୁ ରେ ବନ୍ଧକ ଥିବା ଶ୍ରମିକ ଙ୍କ ପରିବାର ଲୋକେ ବ୍ରହ୍ମପୁର ଯାଇ ଏସ.ପି ଡ଼ା. ଶ୍ରବଣା ବିବେକ ଏମ ଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ। ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ଅଟକ ଥିବା ୩ ଶ୍ରମିକ ଙ୍କୁ ଉଦ୍ଧାର କରିବା ପାଇଁ ଦିଗପହଣ୍ଡି ଥାନା ପ୍ରୋବେସନାରୀ  ଏସ.ଆଇ ମହାପ୍ରସାଦ ମହାନ୍ତି,ଏଏସଆଇ ମନୋଜ ସିଂ, ୨ କନେଷ୍ଟବଳ ଏବଂ ଶ୍ରମିକ ମାନଙ୍କ କିଛି ସମ୍ପର୍କୀୟ ତାମିଲନାଡୁ ଅଭିମୁଖେ ଯାଇ ଅଟକ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ଶ୍ରମିକ ଦଲାଲ ଙ୍କୁ ପୋଲିସ ଟିମ୍ ତାମିଲନାଡୁ କୋଏମ୍ବାଟୁର କରୁମଟ୍ଟାମ ପଲ୍ଲୀ ରୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ତାମିଲନାଡୁ ଭିରଥୁନଗର ଜିଲା ଭିରଥୁନଗର ଥାନା ଅଧିନ ରାଜପାଲାୟମ ଗ୍ରାମର କାରଥି(୨୪) ଏବଂ ତାମିଲନାଡୁ ତିରିପୁର ଜିଲା ମଙ୍ଗଲମ ଗାଁ ରେ ରହୁଥିବା ବଲାଙ୍ଗୀର ଜିଲା ପାଲନଗର ଗାଁ ର କ୍ଷୀରୋଦ ତାଣ୍ଡି(୨୮)। ଦିଗପହଣ୍ଡି ପୋଲିସ ଉଭୟଙ୍କୁ ସେଠାକାର ଜୁଡ଼ିସିଆଲ ମାଜିଷ୍ଟ୍ରେଟ କୋର୍ଟ ରେ ହାଜର କରାଇ ମାଜିଷ୍ଟ୍ରେଟ ଙ୍କ ଅନୁମତି କ୍ରମେ ୫ ଦିନ ରିମାଣ୍ଡ ରେ ଆଣି ଶୁକ୍ରବାର ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଥିଲେ। ଭାରତୀୟ ନ୍ୟାୟ ସଂହିତା ର ଧାରା – ୧୪୩(୩)/୧୧୫(୨)/୧୨୭(୩)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ସ୍ଥାନୀୟ ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ