ତାମ୍ପରା ହ୍ରଦର ଉଦ୍ଧାର ଓ ରେଲୱେ ଓଭରବ୍ରିଜ କାର୍ଜ୍ୟ ନେଇ ବିଧାନସଭାରେ ଦାବି କଲେ ଛତ୍ରପୁର ବିଧାୟକ
ଛତ୍ରପୁର : ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଟିଖାଲଠାରେ ଥିବା ଭାରତୀୟ ବିରଳ ମୃତିକା କାରଖାନା ତରଫରୁ ଖଣିଜ ସମ୍ପଦ ଉତୋଳନ ପରେ ପରିତ୍ୟକ୍ତ ବାଲୁକା ରାଶିକୁ ଏଣେତେଣେ ଫୋପାଡ଼ିବା ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ତାମ୍ପରା ହ୍ରଦ ପୋତି ହୋଇପଡ଼ୁଛି । ଏହାର ପୁନରୁଦ୍ଧାର ପାଇଁ କାରଖାନା କର୍ତୃପକ୍ଷଙ୍କୁ କ’ଣ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ । ଏ ନେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଟିଖାଲଠାରେ ଥିବା ତାମ୍ପରା ହ୍ରଦର କିଛି ଅଂଶ ଭାରତୀୟ ବିରଳ ମୃତିକା କାରଖାନାକୁ ଦିଆଯାଇଥିବା ଖଣି ଲିଜର ଅଂଶବିଶେଷ ଅଟେ । ଖନନ ପ୍ରକ୍ରିୟା ଦ୍ୱାରା ନିଷ୍କାସିତ ହେଉଥିବା ପରିତ୍ୟକ୍ତ ବାଲୁକା ରାଶିକୁ ଏଣେତେଣେ ନଫୋପାଡ଼ି ମାଇନିଂ ପ୍ଲାନ ଅନୁଯାୟୀ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ପୂରଣ ନିମନ୍ତେ ବ୍ୟବହାର କରାଯାଉଛି । ଏହାକୁ ସମତୁଲ କରାଯାଇ ଏହାର ଉପରେ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରାଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କମ୍ପାନୀ ଦ୍ୱାରା ଯୋଜନା କରାଯାଉଛି । ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁରଠାରେ ପ୍ରସ୍ଥାବିତ ରେଲୱେ ଓଭରବ୍ରିଜ କାମ କେବେ ଆରମ୍ଭ ହେବ, ଏହାର ନିର୍ମାଣ କାମ ତୁରନ୍ତ ଆରମ୍ଭ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ଶ୍ରୀ ବେହେରା ନିର୍ମାଣ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ । ଜଗନ୍ନାଥପୁରଠାରେ ପ୍ରସ୍ଥାବିତ ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ନକ୍ସା ପ୍ରସ୍ତୁତି ପରେ ପୂର୍ବତଟ ରେଲୱେ ବିଭାଗକୁ ପ୍ରେରଣ କରାଯାଇଛି । ରେଲୱେ ବିଭାଗରୁ ଅନୁମୋଦନ ପ୍ରାପ୍ତ ହେବା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ।