ତାଲାବନ୍ଦ ଜିଲ୍ଲାରୁ ଆସୁଥିବା ବ୍ୟକ୍ତି ସଙ୍ଗରୋଧରେ ରହିବାକୁ ନିର୍ଦେଶନାମା ଜାରି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କରୋନା ସଂକ୍ରମଣ ବୃଦ୍ଧିକୁ ହ୍ରାସ କରିବା ପ୍ରୟାସ ସ୍ୱରୂପ ରାଜ୍ୟର ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗରନିଗମ ଅଂଚଳକୁୁ ଆସନ୍ତା ଜୁଲାଇମାସ ୩୧ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗରନିଗମ ଅଂଚଳରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସୁଥିବା ସମସ୍ତ ବ୍ୟକ୍ତି ବାଧ୍ୟତା ମୂଳକ ଭାବେ ୧୪ଦିନ ପର୍ଯ୍ୟନ୍ତ ଆନୁଷ୍ଠାନିକ ସଙ୍ଗରୋଧରେ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦେଶନାମା ଜାରିକରିଛନ୍ତି । କୋଭିଡ ପରିଚାଳନା, ବିପର୍ଯ୍ୟୟ ପରିଚାଳନା, ଜରୁରୀକାଳିନ ସେବା ନିମିତ ନିୟୋଜିତ କର୍ମଚାରୀ ,ଜିଲ୍ଲା ଓ ପୈାର ପ୍ରଶାସନର କର୍ମଚାରୀ, ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକୀୟ ସେବା ପାଇଁ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ବ୍ୟତିତ ଅନ୍ୟ ସମସ୍ତ ବ୍ୟକ୍ତି ୧୪ଦିନ ପର୍ଯ୍ୟନ୍ତ ଆନୁଷ୍ଠାନିକ ସଙ୍ଗରୋଧରେ ରହିବେ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ୪୫ହଜାର ୪୪୪ ଜଣ ପ୍ରବାସୀ ଆସିଛନ୍ତି । ଆସିଥିବା ୨୨୧ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୨୦ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୩୨, ମହାକାଳପଡା ବ୍ଲକର ୩୩, ରାଜନଗର ବ୍ଲକର ୬୯, ରାଜକନିକା ବ୍ଲକର ୪୭, ଡେରାବିଶି ବ୍ଲକର ୨୦ ଜଣ ଅଛନ୍ତି । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।


