ତାଲିମପ୍ରାପ୍ତ ଚାଷୀଙ୍କୁ କୁକୁଡା ଚିଆଁ ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଆର୍ଥୀକ ଅନଗ୍ରସର ଦୂର କରିବା ସହିତ ଜନସାଧାରଣଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି । ନାଉଗାଁ ବ୍ଳକରେ କୁକୁଡା ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ମଙ୍ଗଳବାର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା କୁକୁଡା ଚିଆଁ ପ୍ରଦାନ କରାଯାଇଛି । ନାଉଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଆନୁକୂଲ୍ୟରେ ୬୦ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇ କୁକୁଡା ଚାଷ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ପ୍ରତି ଚାଷୀଙ୍କୁ ୧୫ଟି ଲେଖାଁଏ ବନରାଜ କୁକୁଡା ଚିଆଁ ସହିତ କୁକୁଡା ପାଇଁ ଖାଦ୍ୟ ଓ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ୪ରୁ ୫ ମାସ ମଧ୍ୟରେ ଏହି କୁକୁଡା ବଡ ହୋଇ ଅଣ୍ଡା ଦେବା ସହ ଏହାର ମାଂସ ମଧ୍ୟ ବିକ୍ରି କରାଯାଇପାରିବ । ଏହି ଚାଷ ଲାଭଦାୟକ ହୋଇଥିବା ବେଳେ ଏହାକୁ ଚାଷ କରି ଚାଷୀ ଭଲ ଦି ପଇସା ରୋଜଗାର ମଧ୍ୟ କରିପାରିବ । ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ସାଂସଦ ପ୍ରତିନିଧି ଅଜୟ କୁମାର ମହାନ୍ତି, ବ୍ଳକ କୃଷି ଅଧିକାରୀ ପ୍ରଭାସ କୁମାର ପଣ୍ଡା, ଗୋଷ୍ଠୀ ପଶୁ ଚିକିତ୍ସାଧିକାରୀ ଡା.ରାଜା ଉଦୟଭାନୁ ରାଉତ,ଡା.ଶୁଭେନ୍ଦୁ ସେଠୀ, ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ, ସହାୟକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


