ତିତିଲିି ମହାବାତ୍ୟାକୁ ୩ ବର୍ଷ ପୂରିଲା ତଥାପି ଗଜପତିର କ୍ଷତିଗ୍ରସ୍ତଙ୍କୁ ସମ୍ପୁର୍ଣ୍ଣ ଭାବେ ଥଇଥାନ କରାଯାଇନାହିଁ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗତ ୭ ବର୍ଷ ମଧ୍ୟରେ ଗଜପତି ଜିଲ୍ଲା ଅନେକ ପ୍ରାକୃତିକ ବିପର୍ଯୟର ସମ୍ମୁଖୀନ ହୋଇଛି । ଏଥି ମଧ୍ୟରୁ ତିତିଲି ମହାବାତ୍ୟା ଗଜପତିକୁ ସବୁଠାରୁ ଅଧିକା କ୍ଷତିଗ୍ରସ୍ତ କରିଛି । ତାହା ଆଜିବି ଜିଲ୍ଲାବାସୀଙ୍କ ମନରୁ ଲିଭୁ ନାହିଁ । ଗତ ୨୦୧୮ ଅକ୍ଟୋବର ୧୦ ତାରିଖରେ ଯେଉଁ ମହାପ୍ରଳଙ୍କରୀ ତିତ୍ଲି ବାତ୍ୟା ହୋଇଥିଲା । ଏହି ତିତିଲି ମହାବାତ୍ୟାକୁ ବର୍ତ୍ତ ମାନ ୩ବର୍ଷ ପୂରିଲା । ତଥାପି କ୍ଷତିଗ୍ରସ୍ତଙ୍କୁ ଏବେ ମଧ୍ୟ ସମ୍ପୁର୍ଣ୍ଣ ଥଇଥାନ କରାଯାଇ ପାରିନାହିଁ । ସେଥିରେ ଗଜପତି ଜିଲା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବାସହ ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧଜଣ ମୃତ୍ୟୁବରଣ କରିଥିବାବେଳେ ଅନେକ ସଂଖ୍ୟାରେ ଗୃହପାଳିତ ପଶୁ ଓ ପକ୍ଷୀଙ୍କର ମୃତ୍ୟୁ ଘଟିଥିଲା । ପାହାଡ ଧସିବା ଯୋଗୁଁ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବାରଘର ଠାରେ ଏହି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟାର ରୂପ ଏତେ ପ୍ରଳୟଙ୍କରୀଥିଲା ଯେ, ସଦର ମହକୁମା ପାରଳାଖେମୁଣ୍ଡି ପ୍ରାୟ ୫ଦିନ ଧରି ବିଦ୍ୟୁତ ଆଲୋକ ବନ୍ଦ ରହିବା ସହ ସହରଟି ଅନ୍ଧକାରମୟ ହୋଇପଡିଥିଲା । ଗମନାଗମନ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହେବା ସହ ଲୋକମାନେ ସମସ୍ତ ଯୋଗାଯୋଗ ବ୍ୟବସ୍ଥାରୁ ବିଚ୍ଛିନ୍ନ ହୋଇଥିଲା । ପ୍ରଶାସନ ପକ୍ଷରୁ ଏଥିପାଇଁ ତ୍ୱରିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବାତ୍ୟାର ପ୍ରାୟ ୩ମାସ ପର୍ଯ୍ୟନ୍ତ ଅନେକ ରାଜ୍ୟସ୍ତରୀୟ ଅଧିକାରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଗଜପତି ଜିଲ୍ଲାକୁ ଗସ୍ତକରି କ୍ଷୟକ୍ଷତିର ଆକଳନ, ଉଦ୍ଧାରକାର୍ଯ୍ୟ, ସହାୟତା ଆଦି ନିମନ୍ତେ ଡେରା ପକାଇଥିଲେ । ତିତ୍ଲି ବାତ୍ୟାରେ ବିଭିନ୍ନ କାର୍ଯ୍ୟପାଇଁ ପ୍ରଶାସନର ସମସ୍ତ କଳବଳ ଖଟାଯାଇଥିଲା । ତିତ୍ଲି ହେବାର ଏକ ବର୍ଷ ମଧ୍ୟରେ ପ୍ରଶାସନିକ ତଥ୍ୟ ଅନୁଯାଇ ପ୍ରାୟ ୧୯୧୫.୨୭ କିମି ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ କରାଯାଇ ଥିବା ବେଳେ ୧୮ଗୋଟି ନୂତନ ଗ୍ରାମ ସୃଷ୍ଟି କରାଯାଇ ସେଠାରେ ୭୬୬ ଗୋଟି ବିଜୁ ପକ୍କାଘର ଯୋଜନା ଅନୁଯାୟୀ ପରିବାର ଗୁଡିକୁ ବିସ୍ତାପିତ କରାଯାଇଥିଲା । ସେହିପରି ୭୮ଟି ଅଙ୍ଗନବାଡି କେନ୍ଦ୍ର, ୧୦୧ଟି ପ୍ରାଥମିକ ବିଦ୍ୟାଳୟ ଇତ୍ୟାଦିକୁ ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଇଥିଲା । ସେହିପରି ପାନୀୟଜଳ, ବିଦ୍ୟୁତକରଣ ଇତ୍ୟାଦି ବିଭିନ୍ନ କାର୍ଯ୍ୟକୁ ତ୍ୱରାନିତ କରାଯାଇଥିଲା । ମାତ୍ର ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟ ତ୍ୱରାନିତ କରାଯାଇଥିଲେ ମଧ୍ୟ ଏବେବି ତିତ୍ଲିର ସେହି ଭୟଙ୍କର ପରିସ୍ଥିତି ଗଜପତିବାସୀ ଭୁଲି ନାହାନ୍ତି । ଏବେ ମଧ୍ୟ ଅନେକ ପରିବାର ତିତ୍ଲିରେ କ୍ଷତିଗ୍ରସ୍ତ ହେବାପରେ ସହାୟତାରୁ ବଞ୍ôଚତ ଅଛନ୍ତି । କେତେ ପରିବାର ଉଜୁଡି ମଧ୍ୟ ଯାଇଛି ତାହା ବିଭିନ୍ନ ସୂତ୍ରରୁ ଜାଣିବାକୁ ମିଳୁଛି । ଆଜିବି ପୂର୍ଣ୍ଣମାତ୍ରାରେ ଲୋକେ ସ୍ଥାନାନ୍ତରିତ ହୋଇପାରି ନାହାନ୍ତି । ଆଜିବି କିଛି ସଡକ ପଥ ଠାରୁ ଆରମ୍ଭ କରି ବିଭିନ୍ନ ଘରଦ୍ୱାର ନିର୍ମାଣ ହୋଇପାରିନାହିଁ । ଏବେବି ଏହାର ଛାପ ଦେଖିବାକୁ ମିଳୁଛି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିତିଲି ପ୍ରଭାବରେ ବନାଞ୍ଚଳ ତଥା ହଜାର ହଜାର ବୃକ୍ଷ ଲତା ନଷ୍ଟ ହୋଇଯାଇଛି । ବନପାହାଡ ଏକପ୍ରକାର ଲଣ୍ଡା ସଦୃଶ୍ୟ ହୋଇଯାଇଥିଲେ ମଧ୍ୟ ନୂତନ ବନାଞ୍ଚଳ କିମ୍ବା ଚାରାରୋପଣ ପ୍ରତି ଧ୍ୟାନ ଦିଆଯାଇନାହିଁ ।