ତିନିଗୋଡ଼ ଥିବା ଶିଶୁର ଚିକିତ୍ସା ନିମନ୍ତେ ସହାୟତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗୁରୁବାର ଦିନ ୧୦ ଘଟିକା ସମୟରେ ସ୍ଥାନୀୟ ନବୋଦୟ ଯୁବକ ସଂଘ, ଭୁବନେଶ୍ୱରଠାରେ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ ତରଫରୁ ତିନିଗୋଟି ଗୋଡ଼ ଥିବା ବାଳକ ସୁଦାମର ଚିକିତ୍ସା ପାଇଁ ସହାୟତା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଥାରେ ଅଛି ‘ଶରୀରମାଦ୍ୟମ ଖଳୁ ଧର୍ମ ସାଧନମ’ ଅର୍ଥାତ୍ ସମସ୍ତ କାର୍ଯ୍ୟସାଧନ ନିମନ୍ତେ ଶରୀର ହେଉଛି ମୁଖ୍ୟ ମାଧ୍ୟମ । ମାତ୍ର ଭଗବାନପ୍ରଦତ ଏହି ସୁସ୍ଥ ଶରୀର ସର୍ବଦା ସମସ୍ତଙ୍କୁ ପ୍ରାପ୍ତ ହୋଇନଥାଏ । କେତେକ ବ୍ୟକ୍ତି ବିକଳାଙ୍ଗ ଶରୀର ନେଇ ଜନ୍ମ ଲାଭ କରି ଯନ୍ତ୍ରଣା ଭୋଗୁଥାନ୍ତି । ଆଉ ସେହି ଯନ୍ତ୍ରଣା ଯଦି ଏକ ଶିଶୁକୁ ଭୋଗିବାକୁ ପଡ଼େ ତାହା କେବଳ ତା’ ପାଇଁ ନୁହେଁ ତାର ସମଗ୍ର ପରିବାର ମଧ୍ୟ କଷ୍ଟଦାୟକ ଅଟେ । ଏହିପରି ଦୁଃଖଦ ଘଟଣା ଘଟିଛି ୧୧ ବର୍ଷର ବାଳକ ସୁଦାମ ବେହେରାଙ୍କ ଜୀବନରେ । ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମର ମଧୁସୂଦନ ବେହେରା ଓ ସୁକୁରି ବେହେରା ତାଙ୍କ ପୁତ୍ର ସୁଦାମ । ଭାଗ୍ୟର ବିଡମ୍ବନା ଜନ୍ମରୁ ଦୁଇଟି ଗୋଡ଼ ପରିବର୍ତ୍ତେ ତିନୋଟି ଗୋଡ଼ ସହ ଜନ୍ମ ହୋଇଛି । ତା ସହିତ ବେଡ଼ି ଉପରେ କୋରଡ଼ା ପରି ସେ ସମ୍ପୂର୍ଣ୍ଣ ଅନଗ୍ରସର ଅଟେ । ନାଁ ଦେଖିପାରୁଛି, ନା କଥା କହିପାରୁଛି ନା ଠିକ୍ ସେ ଶୁଣିପାରୁଛି । ଚାଲିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ । ଏକ ଜୀବନ୍ତ ମାଂସ ପିଣ୍ଡୁଳା ପରି ସେ ଶେଯରେ ପଡ଼ିରହିଛି । ପିତା ଦିନ ମଜୁରୀ କରି ପରିବାର ପୋଷଣ କରନ୍ତି । ପୁଅର ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିବାରୁ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଥିଲା ସୁଦାମ । ବାଲେଶ୍ୱରର କେତେକ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସୁଦାମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟତା ଏବଂ ସୁପାରିଶ କ୍ରମେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସୁଯୋଗ ମିଳିଛି । ସୌଭାଗ୍ୟକ୍ରମେ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟକୁ ସୁଦାମର ସେବା କରିବା ନିମନ୍ତେ ସୁଯୋଗ ମିଳିଛି । ଏଥିନିମନ୍ତେ ଟ୍ରଷ୍ଟର ସଦସ୍ୟମାନେ ନିୟମିତ ଭାବରେ ସୁଦାମ ଓ ତାର ପରିବାର ବର୍ଗଙ୍କୁ ଦେଖାକରି ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ସହିତ ଦାୟିତ୍ୱରେ ଥିବା ବିଭାଗୀୟ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ (୧) କାଳ ବିଳମ୍ବ ନ କରି ସୁଦାମର ଚିକିତ୍ସା ଅଗ୍ରାଧିକାର ଭିତ୍ତିରେ କରାଯାଉ (୨) ଜଗା ବଳିଆଙ୍କୁ ନୂତନ ଜୀବନଦେଇ ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରରେ ଯେପରି ସଫଳତା ହାସଲ କରିଛନ୍ତି ଠିକ୍ ସେହିପରି ସୁଦାମ କ୍ଷେତ୍ରରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ (୩) ଆବଶ୍ୟକସ୍ଥଳେ ରାଜ୍ୟ ବାହାରର ଡ଼ାକ୍ତରଙ୍କ ସହ ପରାମର୍ଶ କରି ସୁଦାମର ଚିକିତ୍ସାକୁ ତ୍ୱରାନ୍ୱିତ କରାଯା (୪) ଅନୁଭୂତି ସମ୍ପନ୍ନ ବ୍ୟକ୍ତିବିଶେଷ ତଥା ଡ଼ାକ୍ତର ଓ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଉ (୫) ସୁଦାମର ପିତାମାତାଙ୍କର ରହିବା ସହିତ ଖାଇବା ସୁବିଧା ଡ଼ାକ୍ତରଖାନା ତରଫରୁ ମାଗଣାରେ ଯୋଗାଇ ଦିଆଯାଉ (୬) ଜଗା ବଳିଆଙ୍କ ନିମନ୍ତେ ଯେପରି ଏକ ସ୍ୱତନ୍ତ୍ର ପାଣ୍ଠି ଗଠିତ ହୋଇଥିଲା ସେହିପରି ସୁଦାମ ନିମନ୍ତେ ମଧ୍ୟ ଗଠନ କରାଯାଉ (୭) ଯେହେତୁ ସୁଦାମର ପିତା ଜଣେ ଦିନ ମଜୁରିଆ ଓ ଘରର ଏକମାତ୍ର ଅର୍ଥ ଉପାର୍ଜନକାରୀ ବ୍ୟକ୍ତି ଅଟନ୍ତି ତେଣୁ ତାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ । ସୁଦାମର ଚିକିତ୍ସା ଓ ତାର ପିତାମାତାଙ୍କର ଭବିଷ୍ୟତ ବର୍ତ୍ତମାନ ସମାଜ ପାଇଁ ଏକ ବିରାଟ ପ୍ରଶ୍ନବାଚୀ । ତେଣୁ ଖୁବ୍ ଶୀଘ୍ର ଏକ ୫ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାର ଯୋଜନା ରହିଛି ବୋଲି ସଭାପତି ଅମିୟବାଳା ପରିଡ଼ା ସୂଚନା ଦେଇଛନ୍ତି ।


