ତିନି ଦିନ ଧରି ଜଳ ଯୋଗାଣ ବନ୍ଦ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ସହରରେ ଟାଟା କମ୍ପାନୀ ଦ୍ୱାରା ପାଇପ ଫାଟିବା ଯୋଗୁ ଯୋଡାବାସୀ ୩ ଦିନ ଧରି ପାନୀୟ ଜଳ ଯୋଗାଣରୁ ବଂଚିତ ହୋଇଛନ୍ତି । ଜନ ସ୍ୱାସ୍ଥ୍ୟ ବିଭାଗର ପାଇପ ଲାଇନ୍ ଯୋଡା ସହରର ମଙ୍ଗଳା ମନ୍ଦିର ଛକ ନିକଟରେ ପାଇପ ଫାଟିଯାଇଛି । ଟାଟା କମ୍ପାନୀ ପକ୍ଷରୁ ୩୩ କେଭି ର ଦୁଇଟି କେବୁଲ ଓ ୧୧ କେଭି ର ଦୁଇଟି କେବୁଲ ସଂଯୋଗ ପାଇଁ ମେସିନ ଲଗାଇ ମାଟି ଖୋଳାଯାଉଥିଲା । ଡ୍ରିଲିଂ ମେସିନ୍ ବ୍ୟବହାର ବେଳେ ଗଭୀରରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଛାଯାଇଥିବା ପାଇପ୍ ଲାଇନ୍ ଫାଟିଯାଇଥିଲା । ଏହା ସହିତ ଜେସିବି ମେସିନ୍ ରେ ମାଟି ଖୋଳିବା ବେଳେ ମଧ୍ୟ ପାଇପ୍ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଯାହାଫଳରେ ଗୁରୁବାରଠାରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ପାନୀୟ ଜଳପାଇଁ ଯୋଡାବାସୀ ନାହିଁ ନଥିବା ଅସୁବିଧାର ସମ୍ୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଲିଖିତ ଭାବେ ଚିଠି ଯୋଡା ଟାଟାଷ୍ଟିଲ ମୁଖ୍ୟଙ୍କୁ ଦିଆଯାଇଛି । ପରେ କମ୍ପାନୀ କର୍ମଚାରୀମାନେ ବହୁ ବିଳମ୍ବରେ ଆସି ମାଟି ଖୋଳିବା କାର୍ଯ୍ୟ ଶେଷ କରୁଥିବା ଦେଖିବାକୁ ମିଳିଥିଲା । କମ୍ପାନୀ ପକ୍ଷରୁ ଭଙ୍ଗାଯାଇଥିବା ପାଇପ୍ ଓ ଅନ୍ୟାନ୍ୟ ସାମଗ୍ରୀ ର କ୍ଷତିଭରଣା ଟାଟା କମ୍ପାନୀ ପକ୍ଷରୁ ଯୋଗାଇ ଦିଆଗଲେ ଖୁବ୍ ଶୀଘ୍ର ପାଇପ ସଂଯୋଗୀକରଣ କରାଯାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ର ଏସଡିଓ ମନୋଜ କୁମାର ପଣ୍ଡା କହିଛନ୍ତି । ଯୋଡା ପୌରାଚଂଳରେ ବିଭିନ୍ନ ଓାର୍ଡରେ ଜଳସଙ୍କଟ ଦେଖାଦେବାରୁ ଯୋଡା ପୌରପାଳିକା ପକ୍ଷରୁ ଚିଠି ନଂ ୬୯୬୪ / ତା ୦୬/୦୯/୨୦୧୯ରିଖରେ ଏହାର ଶୀଘ୍ର ମରାମତି କରିବା ପାଇଁ ଟାଟା କମ୍ପାନୀର ବିଦ୍ୟୁତ ବିଭାଗୀୟ ଅଧିକାରୀ ଦିନେଶ ପ୍ରସାଦ ଙ୍କୁ ଚିଠି କରାଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏ ନେଇ ଟାଟା କମ୍ପାନୀର କର୍ପୋରେଟ କମ୍ୟୁନିକେସନ ଅଧିକାରୀ ଆଶିଷ ଆଚାର୍ଯ୍ୟ ଙ୍କ ସହ ଯୋଗାଯୋଗ କରିବାରୁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଟାଟା କମ୍ପାନୀ ଉଚିତ ପଦକ୍ଷେପ ନେବ ବୋଲି କହିଥିଲେ ।