ତିରୋଧାନ ଦିବସରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ସ୍ମତିଚାରଣ
କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରାଯାଇଛି । ୧୯୩୪ମସିହାରେ ଗାନ୍ଧିଜୀ କେନ୍ଦ୍ରାପଡାକୁ ପଦଯାତ୍ରାରେ ଆସି ବିଭିନ୍ନ ସ୍ଥାନରେ ସଭା କରିବା ସହ ରାତ୍ରୀଯାପନ କରିଥିଲେ । ଏହି ଅବସରରେ ସେହିସବୁ ସ୍ଥାନରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସଂଗ୍ରାମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଥମେ ସକାଳ ୮ଟା ସମୟରେ ଗରାପୁରଛକସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ସମସ୍ତ ସଂଗ୍ରାମୀ ଓ ଦାୟାଦମାନଙ୍କ ଉପସ୍ଥିତିରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପୁରୁଣା ବସଷ୍ଟାଣ୍ଡ,ଭାଗବତପୁର ପଂଚାୟତର ବାଲିଆ,ବାରିମୂଳ ଗାନ୍ଧିପୀଠ ଓ ସଲାର ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ସଲାର ଠାରେ ସ୍ଥାନୀୟ ଜନସାଧାରଣ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ରାମଧୂନ ପରିବେଷଣ କରାଯିବା ସହିତ ସଂଗ୍ରାମୀ ସୂର୍ଗତ ବୃନ୍ଦାବନ ପଲେଇଙ୍କ ପତ୍ନୀ ଚାରୁଲତା ପଲେଇ ଓ ମାନଗୋବିନ୍ଦ ମଳିକଙ୍କୁ ଜିଲ୍ଲାପାଳଙ୍କ ପ୍ରଦତ୍ତ ଶାଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀ ବିମ୍ବାଧର ପଲେଇ, ସଂଗ୍ରାମୀ ସମିତି ସମ୍ପାଦକ ଗୋପାଳ କୃଷ୍ଣ ଜେନା, ଦାୟାଦ ସଙ୍ଘ ସଭାପତି ବିଚିତ୍ରାନନ୍ଦ ନାୟକ, ସଂଗ୍ରାମୀ ଫକିର ମୋହନ ଦାସ, ନଟବର ପ୍ରଧାନ, ଦାୟାଦ କୁଳମଣୀ ରାଉତ, ପଦ୍ମନାଭ ଦାସ, ସତ୍ୟରଞ୍ଜନ ମଲ୍ଲିକ, ରାଜକିଶୋର ଜେନା, ସୁବୋଧ କୁମାର ଜେନା ପ୍ରମୁଖ ସଂଗ୍ରାମୀ ଓ ଦାୟାଦମାନେ ଉପସ୍ଥିତ ଥିଲେ । ଏହିସବୁ କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ଜେନା ପରିଚାଳନା କରିଥିଲେ ।