ତୁଚ୍ଛ ଜୀବନର ମିଛ ଆଶା
ଦିପ୍ତିମୟୀ ନାୟକ
ଜୀବନ ତୁଚ୍ଛ ନୁହେଁ କିନ୍ତୁ ବେଳେବେଳେ ଏହି ଜୀବନ ଆମକୁ ତୁଚ୍ଛ ଭଳି ଲାଗେ | କାହିଁକି ନା ଯେତେବେଳେ ଆମ ଆଶା ଆକାଂକ୍ଷା ଆମର ବାରମ୍ବାର ପରୀକ୍ଷା ନେଇ ଆମକୁ ନିରାଶ କରିଦିଏ | ସେତେବେଳେ ଏମିତି ଲାଗେ ଯେମିତି ତୁଚ୍ଛ ଜୀବନର ମିଛ ଆଶା ଭଳି | ଆଉ ଏହି ଆଶା ଯେପର୍ଯ୍ୟନ୍ତ ଥିବ ସେପର୍ଯ୍ୟ ଏ ହୃଦୟ ରୂପକ ଭଙ୍ଗା ଘର ସଜାଡ଼ିବାର ଆଶା ଆଶାରେ ହିଁ ଥିବ ଆଉ ଯେତେବେଳେ ଏହି ଭଙ୍ଗା ଘର ସଜେଇ ହୋଇଯିବନା ସେତେବେଳେ ଏମିତି ଲାଗିବ ଜୀବନ ତୁଚ୍ଛ ନୁହେଁ କି ଆଶା ନିରାଶ ହେବାର ମାର୍ଗ ନୁହେଁ | ଜୀବନର ମାର୍ଗ ବାଛିବାକୁ ହେଲେ ଅନେକ ସମୟରେ ଠିକ ଭୁଲର ରାସ୍ତା ଖୋଜୁ ଖୋଜୁ ମଣିଷ କେତେବେଳେ ଖାଲ ରୂପକ ସମସ୍ୟାରେ ପଡ଼ିଯାଏ ତ ଆଉ କେତେବେଳେ ନିଜର ବୟସ ହଜାଇ ଦିଏ କାହିଁକି ନା କେହି କେହି କୁହନ୍ତି ଉଚିତ ସମୟ ଆଉ ଉଚିତ ବୟସରେ ଯଦି ସବୁକିଛି ମିଳିଯାଏ ତେବେ ବାକି ଜୀବନ ମଧ୍ୟ ସାର୍ଥକ ହୋଇଯାଏ | କିନ୍ତୁ ସେହିମାନେ କେମିତି ବୁଝନ୍ତିନି ଉଚିତ ସମୟରେ ଯଦି ଉଚିତ ମାର୍ଗ ମଣିଷ ପାଇଯାଆନ୍ତା ତାହାଲେ ତାକୁ ଆଉ ଏତେ ସଂଘର୍ଷ କରିବାକୁ ପଡୁନଥାନ୍ତା | କି ସେ ନିଜ ଜୀବନକୁ ତୁଚ୍ଛ ମନେ କରୁନଥାନ୍ତା |ଯଦିଓ ମଣିଷ ତା ଜୀବନରେ ଅନେକ କିଛି ପାଇବାକୁ ଆଶା କରେ ଏବଂ ସେହି ଆଶା ଯଦି ପୂରଣ ହୁଏନି | ତେବେ ମଣିଷ ନିଜ ଜୀବନକୁ ତୁଚ୍ଛ ମନେ କରେ ଏବଂ ସେ ସେହି ଆଶାକୁ ସେଇଠୁ ପୂର୍ଣ୍ଣଛେଦ ପକେଇଦିଏ | ଆଉ ଅନେକ ଅଛନ୍ତି ଯେଉଁମାନଙ୍କ ଜୀବନରେ ହଜାର ହଜାର ସମସ୍ୟା ଥିଲେ ବି ସେମାନେ କେବେ ନିଜ ସମସ୍ୟାକୁ ଅନ୍ୟ ଆଗରେ ସହଜରେ କହିପାରନ୍ତିନି କାରଣ ସେମାନେ ଜାଣନ୍ତି ସେ ଯାହାକୁ ତାଙ୍କ ସମସ୍ୟା ବିଷୟରେ କହିବେ ସେହି ଅନ୍ୟଜଣଙ୍କର ତ ଅନ୍ୟକିଛି ସମସ୍ୟା ଥିବ ତେବେ କେମିତି କହିବେ ନିଜ ସମସ୍ୟା ଜାଣିକି ଅନ୍ୟ ସମସ୍ୟାର ସମାଧାନ କେମିତି ହେବ ତାକୁ ବାଟ ଦେଖେଇ ଥାଆନ୍ତି ଏବଂ ନିଜେ ମଧ୍ୟ ନିଜ ଜୀବନକୁ ଜିଇଁବା ପାଇଁ ରାସ୍ତା ଖୋଜିଥାନ୍ତି | କେତେବେଳେ ଜୀବନର ପଥିକଟିଏ ହୋଇ ତ ଆଉ କେତେବେଳେ ନିଜକୁ ଶବ ସଜେଇ | ତେବେ ଆପଣ କହିବେ ଶବ କାହିଁକି କହିଲି | ଶବ ଏଥିପାଇଁ କହିଲି ଯେ ଯେତେବେଳେ ମଣିଷର ଧର୍ଯ୍ୟ ହାର୍ ମାନିଥାଏ | ଯେତେବେଳେ ସେ ଦେଖିଥିବା ସବୁ ସ୍ୱପ୍ନ ଦୁସ୍ବପ୍ନ ହୋଇଯାଏ ସେତେବେଳେ ଏହି ମଣିଷ ଜିଅନ୍ତା ଶବ ହୋଇଯାଏ |ସବୁବେଳେ ଗୋଟେ କଥା ମନେ ରଖିବା ଉଚିତ ସଫଳତା ବିଫଳତା ଲାଗିରହିଛି | ଆମେ ଯେତେ ବିଫଳ ହେବା ଆମ ଜୀବନ ଆମକୁ ସେତେ ଶିକ୍ଷା ଦେବ | ବିଫଳତା ହିଁ ସଫଳତାର ବାଟ ଦେଖାଏ | ବିଫଳ ହୋଇଥିବା ମଣିଷ ହିଁ ଜାଣିଥାଏ ଏଠି ସଫଳତା ପାଇବାକୁ ହେଲେ ପ୍ରତିମୁହୂର୍ତ୍ତରେ କେତେ କଷ୍ଟ ମିଳିଥାଏ | କେତେ ରାତି ଅନିଦ୍ରା ରହି ଆଖିରୁ ଲୁହ ଝରାଇବାକୁ ପଡିଥାଏ | ସ୍ୱପ୍ନ ଭିତରେ ବାସ୍ତବ ଦୁନିଆକୁ ଖୋଜିବା ବ୍ୟର୍ଥ କିନ୍ତୁ ସଂଘର୍ଷ ଯେବେ ହାରିବନି ସେତେବେଳେ ବିଫଳ ମଣିଷ ବି କୌଣସି କାର୍ଯ୍ୟରେ ଅସଫଳ ହେବନି କି ମନୋବଳ କେବେ ମରିବନି ସେଥିପାଇଁ ଯଦି ନିଜ ମନରେ ଧର୍ଯ୍ୟ ରହିବ ତେବେ ଏହି ମଣିଷ ବି ତାର ଟିକକ ଆଶା ପୂରଣ କରି ନିଜ ଜୀବନ ସହ ବନ୍ଧୁ ବାନ୍ଧିବ |ଆମ ଜୀବନ ହିଁ ଆମ ବନ୍ଧୁ କାହିଁକି ନା ଆମେ ଯଦି ନିଜ ସହ ନିଜେ ବନ୍ଧୁତା କରିପାରିବାନି ତେବେ ଅନ୍ୟ ସହ କେମିତି ବନ୍ଧୁତା କରିବା ପ୍ରଥମେ ନିଜେ ନିଜର ଭଲ ବନ୍ଧୁ ହୁଅ | ନିଜକୁ ନିଜେ ଧର୍ଯ୍ୟ ନହରାଇ ନିଜ କର୍ତ୍ତବ୍ୟ ଜାରି ରଖ ଏବଂ ନିଜ ମନକୁ ସ୍ଥିର କରିଦିଅ ଦେଖିବ ତମକୁ ଆଉ କାହାର ଆବଶ୍ୟକ ପଡିବନି ନିଜ ଜୀବନ ହିଁ ତମର ଏକ ସାଥି ହୋଇଯିବ | ଆଉ ଏହି ସାଥି ହିଁ ତମକୁ ସବୁବେଳେ ଧର୍ଯ୍ୟର ଫଳ ବିଷୟରେ ଅବଗତ କରାଉଥିବ | ଯଦି ଧର୍ଯ୍ୟ କଣ ବୋଲି ମଣିଷ ଜାଣିବନି ଅଧର୍ଯ୍ୟ ହେବ ତେବେ ସେ ନିଶ୍ଚିନ୍ତ ଭାବରେ ନିଜ ଜୀବନକୁ ତୁଚ୍ଛ ଭାବିବ ଏଥିରେ କିଛି ସନ୍ଦେହ ନାହିଁ | ଥରେ ଭାବନ୍ତୁ ଆପଣ କଣ ଜନ୍ମରୁ ନିଜ ଦାୟିତ୍ୱ ନିଜେ ନେଇପାରୁଥିଲେ କି | ଯଦି ନା ତେବେ କାହିଁକି ନା | ଜନ୍ମପରେ ନିଜ ଚେଷ୍ଟା ବଳରେ ତମେ ଆଣ୍ଠେଇଲ ପେଟେଇଲ ଆଉ ତାପରେ ଚାଲିଲ ଆଉ ଏଥିରେ ମୁଖ୍ୟ ଭୂମିକା ମା ବାପାଙ୍କର ଥିଲା କାହିଁକି ନା ତମେ ଆଣ୍ଠେଇଲା ଆଉ ପେଟେଇଲା ବେଳେ ତମର ସାହାରା କେବଳ ତୁମ ବାପା ମା ଥିଲେ | ହେଲେ ତମର ପରିଶ୍ରମ କେବେ ବ୍ୟର୍ଥ ଯାଇନଥିଲା | ତମେ ଆଣ୍ଠଉ ଆଣ୍ଠଉ ଗୁରୁଣ୍ଡିକି ପେଟେଇଲ ତାପରେ ଚାଲିବାକୁ ଚାହିଁ ଝୁଣ୍ଟିଲ ଆଉ ତାପରେ ତମେ ଚାଲିଲ | ଯଦି ଜନ୍ମରୁ ତମେ ତମ ପାଇଁ ଏତେ ସଂଘର୍ଷ କରି ଚାଲିପାରୁଛ ନିଜ ଗୋଡ଼ରେ ଠିଆ ହୋଇପାରୁଛ ତାହାଲେ ନିଜ ସଂଘର୍ଷ ଆଗରେ କାହିଁକି ନିଜେ ହାର ମାନୁଛ | ହାର ମାନନି ସଂଘର୍ଷ କର ସଫଳତା ପାଅ | ହୁଏତ ତମ ସଫଳତା ବେଳେ ତମ ପାଖରେ କେହି ନଥିବେ କିନ୍ତୁ ଥରେ ସଫଳତା ମିଳିଗଲେ ତମ ପାଖରେ ସମସ୍ତେ ଥିବେ | ବେଳେବେଳେ ଭାବୁ ଆମ ପରିବାର ପାଇଁ ହିଁ ଆମେ ଏହି ସଫଳତା ପାଇଛୁ କିନ୍ତୁ ନା ପରିବାର ତ କିଛି କୁହନ୍ତିନି ତମକୁ ସ୍ୱାଧୀନତା ଦେଇଥାନ୍ତି ଆମ ପିଲା ଯାହା କରୁ ସେ ଯେତିକି ପଢୁ ଯେତିକି ବଢୁ କିନ୍ତୁ ତା ମୁଣ୍ଡରେ ବୋଝ ଦେବନି କିନ୍ତୁ ସମାଜ ଶିଖାଏ ଏଠାରେ ପ୍ରତିଯୋଗିତା ମୂଳକ ଆଗକୁ ବଢିବାକୁ ହେଲେ ଏମିତି ସଂଘର୍ଷ କରିବାକୁ ପଡେ | କାହିଁକି ନା ଆମ ପରିବାର ଆମ ସାଙ୍ଗଙ୍କ ଭଳି ଆମ ସହ ମିଶିଲେ ବି ଆମକୁ ଏମିତି କିଛି ସାଙ୍ଗଙ୍କ ଆବଶ୍ୟକ ଥାଏ ଯେଉଁମାନେ ଆମ ପରିବାରର ହୋଇନଥିବେ କିନ୍ତୁ ଆମେ ତାଙ୍କୁ ଅତି ନିଜର ଭାବୁ | ସମୟ ପରିବର୍ତ୍ତନ ସହ ଯେତେବେଳେ ଲୋକ ପରିବର୍ତ୍ତନ ହୁଅନ୍ତି ସେତେବେଳେ ଆମ ମନ କୁହେ ଏମାନେ ଏହି କାରଣ ପାଇଁ ଆମଠୁ ଦୂରେଇ ଗଲେ ତ ଦେଖିବା ପରିଶ୍ରମ ଜାରି ରଖିବା ଜୀବନରେ ଅନେକ ସଂଘର୍ଷ ମଧ୍ୟ କରିବା ଆଉ ସଫଳତା ପାଇଗଲେ ଦେଖେଇଦେବା ଆମେବି କିଛି କମ ନୁହେଁ | ସତ କହିବାକୁ ଗଲେ ଆମେ ଯେଉଁ ଅନେକ ସମୟରେ କହିଥାଉ ତୁଚ୍ଛ ଜୀବନର ମିଛ ଆଶା ତାହା ଭୁଲ ବୋଲି ପ୍ରମାଣିତ ହୋଇଯାଏ | କାହିଁକି ନା ଜୀବନ ତୁଚ୍ଛ ନୁହେଁ କି ଆଶା ମିଛ ନୁହେଁ | ଜୀବନକୁ ଜୀବନ ଢଙ୍ଗରେ ଜିଇଁ ପାରିଲେ ହିଁ ଜୀବନ ସୁନ୍ଦର ଲାଗେ | ଆଉ ରହିଲା ଆଶା ଯଦି ଆଶା ରହିବନି ତାହେଲେ ଏ ମଣିଷ ନିଜ ସ୍ୱପ୍ନ ସହର ଭିତରେ କେମିତି ନିଜ ବାସ୍ତବ ଦୁନିଆକୁ ଖୋଜି ପାଇବ | କିଛି ପାଇବାକୁ ହେଲେ ତ ମନରେ ଆଶା ରହିବା ନିହାତି ଆବଶ୍ୟକ |
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର