ତୁମେ କଣ ମୋ ପାଇଁ ଖୁସି ନାହଁ

ଦିପ୍ତିମୟୀ ନାୟକ
ସ୍ୱାମୀ ପଚାରେ ସ୍ତ୍ରୀକୁ, ସ୍ତ୍ରୀ ପଚାରେ ସ୍ୱାମୀକୁ, ବୋହୂ ପଚାରେ ଶାଶୁଙ୍କୁ, ଶାଶୁ ପଚାରନ୍ତି ବୋହୂକୁ, ପୁଅ ପଚାରେ ବାପକୁ, ବାପ ପଚାରନ୍ତି ପୁଅକୁ ତୁମେ କଣ ମୋ ପାଇଁ ଖୁସି ନାହଁ | କେବଳ ଏହି କଥାଟି ପରିବାର ଭିତରେ ସୀମିତ ନଥାଏ ସମ୍ପର୍କୀୟ ମାନେ ମଧ୍ୟ ଏହି କଥାକୁ ନେଇ ଅନେକ ଦ୍ବନ୍ଦରେ ଥାଆନ୍ତି | ସେଥିପାଇଁ ଅନେକ ଜଣ କୁହନ୍ତି ଯେଉଁ ସମ୍ପର୍କରେ ଟିକେ ଖୁସି ନଥାଏ ସେ ସମ୍ପର୍କଟା ବିଷାକ୍ତ ଭଳି ଲାଗିଥାଏ | ସମ୍ପର୍କ ବିଷ ସଦୃଶ ନୁହେଁ ସମ୍ପର୍କ ପ୍ରେମର ସଦୃଶ ହୋଇଥାଏ | ଯିଏ ସମ୍ପର୍କକୁ ବୁଝେ ସେ ସମ୍ପର୍କକୁ ସବୁବେଳେ ସଜାଡିକି ରଖେ | ଆଉ ଯିଏ ସମ୍ପର୍କର ମାନେ ବୁଝେନି ତା ପାଇଁ ଏ ସମ୍ପର୍କ ବି ଅସଜଡ଼ାଭଳି ଲାଗେ | ଏକଥା ମଧ୍ୟ ସମସ୍ତେ ଜାଣିଛନ୍ତି ସମ୍ପର୍କଟା ଟିକେ ଖୁସିରୁ ସଜାଡି ହୋଇଯାଏ ଆଉ ଟିକେ ଦୁଃଖରୁ ସମ୍ପର୍କଟା ଅସଜଡ଼ା ହୋଇଯାଏ | ବେଳେବେଳେ ମନ ସମ୍ଭାଳେନି ସମ୍ପର୍କକୁ ବଞ୍ଚେଇବାକୁ ଯାଇ କେହି କେହି ମୁହଁରେ କହିଦିଅନ୍ତି ସତରେ ତୁମେ କଣ ମୋ ପାଇଁ ଖୁସି ନାହଁ | ଏକଥା କେବଳ ଏଥିପାଇଁ ପଚରାଯାଏ ଯେତେବେଳେ ମଣିଷ କାହାକୁ ପସନ୍ଦ କରୁଥିବ ଆଉ ସେହି ପସନ୍ଦର ମଣିଷ ଯେତେବେଳେ ଅଣଦେଖା କରୁଥିବ ବିନା କାରଣରେ ସମ୍ପର୍କକୁ ଭାଙ୍ଗି ଦେବାର ନିଷ୍ପତି ନେଉଥିବ | ଆଜିକାଲି କିଛି ଜଣ ବୁଝନ୍ତିନି ସମ୍ପର୍କକୁ କେବେ ଭାଙ୍ଗି ହୁଏନି ଜଣେ ସମ୍ପର୍କ ଭାଙ୍ଗିଲେ ଆଉ ଜଣେ ସମ୍ପର୍କକୁ ଯୋଡିବାକୁ ଚାହେଁ କିନ୍ତୁ କଠୋର ମଣିଷ କିଛି ବୁଝେନି | ସମ୍ପର୍କକୁ ନିଆଁ ଧୂଆଁ ଭାବେ ସେଥିପାଇଁ ସମ୍ପର୍କରେ ବନ୍ଧା ଥିବା ଲୋକକୁ ସେ ସମୟ ପାଇଲେ ପାଉଁଶ ଭଳି ଉଡେଇଦିଏ |
ଥରେ ସମ୍ପର୍କରେ ଯୋଡି ହୋଇଗଲେ ସେ ସମ୍ପର୍କ ତୁଟେନି ଏଟା ସମସ୍ତେ ବୁଝିବା ଦରକାର | ନିଜ ଆତ୍ମଗର୍ବ, ଇର୍ଷାଭାବ ଭଲ ସମ୍ପର୍କକୁ ଭାଙ୍ଗିବାର ନୂଆ ଏକ ଦିଗ ଥାଏ | ଯୌବନରେ ମଣିଷ ସମ୍ପର୍କ ମାନେ ବୁଝେନି କିନ୍ତୁ ବୃଦ୍ଧାବସ୍ଥାରେ ଭାବେ ସେ କେତେ ସମ୍ପର୍କୀୟଙ୍କୁ ଆଘାତ ଦେଉଥିଲା ଆଉ ତାକୁ କେତେଜଣ ପଚାରିଥିଲେ ତୁମେ କଣ ମୋ ପାଇଁ ଖୁସି ନାହଁ |
ତେବେ ସମ୍ପର୍କ ସଜାଡ଼ିବାକୁ ବହୁତ ଦିନ ଲାଗିଥାଏ ଆଉ ସମ୍ପର୍କ ଭାଙ୍ଗିବାକୁ ଗୋଟେ ମିନିଟ ବି ଲାଗିନଥାଏ | ଆଜିକାଲି କେହି କାହା ପାଇଁ ଖୁସି ନୁହଁ କାରଣ ଆଜିକାଲି ସ୍ୱାର୍ଥବାଦୀ ଦୁନିଆ | କାହାକୁ ବାରମ୍ବାର ପଚାରିବା କିଛି ଆବଶ୍ୟକ ନାହିଁ ଆପଣଙ୍କ ପାଇଁ କିଏ ଖୁସି ଅଛି ଆଉ ନଅଛି | ଯଦି ଆପଣ ଠିକ ଅଛନ୍ତି ତେବେ ଆପଣ ମଧ୍ୟ କାହାକୁ ପଚାରନ୍ତୁନି କିଏ ଆପଣଙ୍କ ପାଇଁ କେତେ ଖୁସି ଅଛି | ଗୋଟେ କଥା ସବୁବେଳେ ମନେ ରଖିବା ଉଚିତ ଭଲ ଲୋକଙ୍କୁ ଏଠି କେହି ବୁଝନ୍ତି ନାହିଁ କିନ୍ତୁ ଖରାପ ଲୋକଙ୍କୁ ବୁଝିବା କିଛି ଆବଶ୍ୟକ ପଡେନାହିଁ ବାସ କଥା ଚିକ୍କଣ ହେଲେ ଆସର ଜମିବ | ପରଚର୍ଚ୍ଚା ବଢିବ | ଶେଷରେ ଭଲ ଲୋକ ମନ୍ଦ ଭଳି ଲାଗିବ ଆଉ ମନ୍ଦ ଲୋକ ନିଜର ହୋଇଯିବ | ଯଦି ଆମେ ପରିବାର କଥା ଏଠାରେ କହିବା କିଏ କାହା ପାଇଁ ଖୁସି ନାହିଁ ତେବେ ଏଟା ଏକ ପାରିବାରିକ ସମସ୍ୟା | ସ୍ୱାମୀ ଭଲଥିଲେ ସ୍ତ୍ରୀ ଭଲ ମିଳେନି | ସ୍ତ୍ରୀ ଭଲଥିଲେ ସ୍ୱାମୀ ଭଲ ମିଳେନି | ଶାଶୁ ଭଲଥିଲେ ବୋହୂ ଭଲ ମିଳେନି | ବୋହୂ ଭଲଥିଲେ ଶାଶୁ ଭଲ ମିଳେନି | ବାପ ଭଲଥିଲେ ପୁଅ ଭଲ ହୁଏନି | ପୁଅ ଭଲଥିଲେ ବାପ ଭଲ ହୁଏନି | ଯଦି ଆପଣ ଭାବୁଥିବେ ଅବଶ୍ୟ ପରିବାର ଭିତରେ ଝଗଡା ହେଲେ ତୁମେ କଣ ମୋ ପାଇଁ ଖୁସି ନାହଁ ଶୁଣିବାକୁ ମିଳେ କିନ୍ତୁ କାହିଁକି କେହି କାହା ପ୍ରତି ଖୁସି ରହିବେନି | ତେଣୁ ସବୁବେଳେ ଗୋଟେ କଥା ମନେ ରଖିବା ଉଚିତ କେହି କାହା ଭଳି ହୋଇପାରିବେନି | ସମସ୍ତଙ୍କର କିଛି ଅଲଗା ଅଲଗା ଗୁଣ ଅଛି ଆଉ କିଛି ଖରାପ ଅଭ୍ୟାସ ମଧ୍ୟ ରହିଛି | ମଣିଷ ଅଧିକ ଦୁଃଖୀ ହୋଇଗଲେ ମନର କଥାକୁ ମୁହେଁ ମୁହେଁ କହିଦିଏ ତୁମେ କଣ ମୋ ପାଇଁ ଖୁସି ନାହଁ | ଏକଥା ଏଥିପାଇଁ ସେମାନେ କୁହନ୍ତି କାରଣ ସେମାନଙ୍କୁ ମଧ୍ୟ କଷ୍ଟ ହୁଏ ଯାହାଫଳରେ ଏମିତି କଥା ଶୁଣିବାକୁ ମିଳେ |
ସାଙ୍ଗସାଥି, ବନ୍ଧୁ ପରିଜନ, ପ୍ରେମିକ, ପ୍ରେମିକା ସମସ୍ତେ ସମସ୍ତଙ୍କୁ ପଚାରନ୍ତି ତୁମେ କଣ ମୋ ପାଇଁ ଖୁସି ନାହଁ | ଏକଥା ମଧ୍ୟ ସତ ସୁଖର ଜୀବନ ଭିତରେ ଯେତେବେଳେ ଅନେକ ଦୁଃଖ ମାଡି ଆସେ ସେତେବେଳେ ଏହି କଥାଟି ହିଁ ଅନ୍ୟକୁ ପଚାରିବାକୁ ପଡିଥାଏ | ଯଦି ତୁମେ ମୋ ପାଇଁ ଖୁସି ନାହଁ ତେବେ ମୁଁ ତୁମ ଜୀବନକୁ କେବେବି ଆସିବିନି କି ତମ ଦୁଃଖର କାରଣ ହେବିନି | କିଛି ଲୋକ ଅନ୍ୟକୁ ଖୁସିରେ ରହିବାକୁ କହି ନିଜ ଜୀବନ ହାରନ୍ତି ଆଉ ଜୀବନ ହାରିବା ପୂର୍ବରୁ ସେହି ଗୋଟିଏ କଥା କହିଥାଆନ୍ତି ଯଦି ତମେ ମୋ ପାଇଁ ଖୁସି ନାହଁ ତେବେ ଏ ଜୀବନ ମଧ୍ୟ ମୋର ନୁହଁ ବୋଲି କହିଥାନ୍ତି | ଶେଷରେ ଜୀବନ ମଧ୍ୟ ହାରିଥାଆନ୍ତି | କାହିଁକି ନା ଏମାନେ କାହା ଦୁଃଖର କାରଣ ହେବାକୁ ଚାହିଁ ନଥାନ୍ତି ଏମାନେ ଭାବିଦିଅନ୍ତି ଏମାନେ ମରିଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ କିନ୍ତୁ ଏସବୁ ଭୁଲ ଅନ୍ୟର ଖୁସି ଚାହିଁଲେ ଯଦି ତୁମ ଖୁସି ହଜିଯାଉଛି ତେବେ ତୁମେ କାହିଁକି ଜୀବନ ହାରିବ | ଯିଏ ତୁମ ପାଇଁ ଖୁସି ନୁହେଁ ତୁମେ ତାଙ୍କ ପାଇଁ ଖୁସି ହୁଏ ହେଲେ ସେମାନଙ୍କୁ ଜଣେଇବାକୁ ଦିଅନି ତୁମେ ସେମାନଙ୍କ ପାଇଁ କେତେ ଖୁସି | ଜୀବନରେ ସୁଖ ଦୁଃଖ ଲାଗିରହିଛି କିଏ କେତେବେଳେ କାହା ପାଇଁ ହସୁଛି ଆଉ କିଏ କେତେବେଳେ ଆଉ କାହା ପାଇଁ କାନ୍ଦୁଛି କାରଣରେ ଏ ଜୀବନରେ ଯଦି ଦୁଃଖ ନାହିଁ ଜୀବନ ଜିଇଁ କିଛି ଲାଭ ନାହିଁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ