ତୁମ୍ଭ ଆସ୍ଥାନ
ରତ୍ନସିଂହାସନେ
ବସିଛ ଠାକୁରେ
ଭାଇ ଭଉଣୀଙ୍କ ସାଥେ,
ଭୂଦେବୀ ଶ୍ରୀଦେବୀ
ମଦନମୋହନ
ଶ୍ରୀମାଧବଙ୍କ ସହିତେ ।
ଭକତ ଆସନ୍ତି
ଦର୍ଶନ କରନ୍ତି
ତୁମ୍ଭେ ବସିଥାଅ ସେଠି,
ତୁମ୍ଭେ ନ ବସିଲେ
ଶୂନ୍ଯ ନ ରହିବ
ଲାଗେ ଅଣସର ତାଟି ।
ଉପଚାର ଚାଲେ
ଅଣସର ଘରେ
ଅସୁସ୍ଥରୁ ସୁସ୍ଥ ପାଇଁ,
କେମିତିକା ଦିଅଁ
କେମିତିକା ଦେହ
ଜ୍ଜରେ କମ୍ପୁଥାଏ କାହିଁ ।
ସମସ୍ତେ କହନ୍ତି
ମାନବୀୟ ଲୀଳା
ମହାପ୍ରଭୁ କରୁଛନ୍ତି,
ଉତ୍ତାପ ସନ୍ତାପ
ନିଜେ ଦେହେ ବହି
ଜଗତକୁ ପାଳୁଛନ୍ତି ।
ଜଗତ ପାଳକ
ପ୍ରଭୁ ଜଗନ୍ନାଥ
ଜଗତ ଜୀବନ ହରି,
ଯା ଲୀଳା ଅନନ୍ତ
ନାହିଁ ଆଦିଅନ୍ତ
ସର୍ବସ୍ଥାନେ ଥାଏ ପୂରି ।
ଲାଗଇ ଆମ୍ଭଙ୍କୁ
ରତ୍ନସିଂହାସନେ
ତୁମ୍ଭେ ଅଛ ପ୍ରଭୁ ବସି,
ସଭିଙ୍କ ଭାବନା
ଉର୍ଦ୍ଧେ ତୁମ୍ଭ ସ୍ଥିତି
ସର୍ବହୃଦେ ଥାଅ ବସି ।
ଗଦଧର ସାହୁ,ବ୍ରହ୍ମଗିରି,ପୁରୀ