ତୁରନ୍ତ ଧାନ କିଣିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବହୁ ଚାଷୀମାନେ । ଏହାସହିତ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଗଂଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୈଠଡା ସେବା ସମବାୟ ସମିତିର ପ୍ରାୟ ୧୩୬ ଜଣ ଚାଷୀଙ୍କ ଟୋକେନର ଅବଧି ଶେଷ ହୋଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ ୪୭୦୦ କୁଇଣ୍ଟାଲ ଧାନ ରହିଥିବା ବେଳେ ଆଉ ଅଳ୍ପ ଦିନ ମଧ୍ୟରେ ଆହୁରି ବହୁ ଚାଷୀଙ୍କ ଟୋକେନର ଅବଧି ଶେଷ ହୋଇଯିବ । ଚଳିତ ମାସ ୧୨ ତାରିଖରୁ ଟାର୍ଗେଟ ସରିଯାଇଥିବା ଆଳ ଦେଖାଇ ଏମାନଙ୍କ ଧାନ କିଣାଯାଉନଥିବାରୁ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି ନ କରିପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ସେମାନଙ୍କ ଧାନ ତୁରନ୍ତ କିଣିବା ପାଇଁ କୈଠଡା ସେବା ସମବାୟ ସମିତିର ଚାଷୀ ମାନେ ଏହି ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ଇନ୍ଦୁ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ମନୋଜ କୁମାର ପାଢୀ, ଦୋଳଗୋବିନ୍ଦ ପ୍ରଧାନ, ବୃନ୍ଦାବନ ମୁଳି, ସତ୍ୟ ନାରାୟଣ ଅଧିକାରୀ, ମୋହନ ଚନ୍ଦ୍ର ପ୍ରଧାନ, ମୁରଲୀ ପ୍ରଧାନ ଓ ଲିପିକା ପ୍ରଧାନଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।