ତୁଳସୀକ୍ଷେତ୍ର ପଣ୍ଡିତସଭାର ନିଃଶୁଳ୍କ ବ୍ରତୋପନୟନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ନିଃଶୁଳ୍କ ବ୍ରତୋପନୟନ ପାଇଁ ଏକ ପ୍ରସ୍ତୁତି ବୈଠକ ପଣ୍ଡିତ ଧ୍ରୁବଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଝୁଲଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତିଙ୍କ ଦ୍ୱାରା ଦିବଂଗତ ପଣ୍ଡିତ ଗଗନ ବିହାରୀ ଦାଶଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ ପରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ୨୦୨୫ ଜାନୁୟାରୀ ମାସରେ ପଣ୍ଡିତସଭା ପକ୍ଷରୁ ଅସ୍ୱଚ୍ଛଳ ବ୍ରାହ୍ମଣ ପିଲାଙ୍କର ଏକ ସାମୂହିକ ବ୍ରତୋପନୟନ ଯଜ୍ଞ କରାଯିବାକୁ ସ୍ଥିର କରାଗଲା । ଯେଉଁ ଅସ୍ୱଚ୍ଛଳ ବ୍ରାହ୍ମଣମାନେ ସେମାନଙ୍କର ପିଲାଙ୍କ ବ୍ରତୋପନୟନ କରିବାକୁ ଆଗ୍ରହୀ ସେମାନେ ଯଥାଶୀଘ୍ର ସଂଗଠନ ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି (ଦୂରାଭାଷ-୯୪୩୯୭୩୯୩୪୪)ଙ୍କୁ ଓ ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ (ଦୂରଭାଷ-୯୦୪୦୮୨୯୪୧୧୮)ଙ୍କ ସହ ଯୋଗାଯୋଗ କରିବାକୁ ସଭା ପକ୍ଷରୁ ନିବେଦନ କରାଯାଇଛି । ଆଗାମୀ ୨୦୨୫ ମସିହା ଅପ୍ରେଲ ମାସରେ ପଣ୍ଡିତ ସଭାର ବାର୍ଷିକ ସମ୍ମିଳନୀ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଛି । ଏହି ସଭାରେ ପଣ୍ଡିତ କୈଳାସ ଦାଶ, ପଣ୍ଡିତ ପିତାମ୍ବର ଲେଙ୍କା, ପଣ୍ଡିତ କ୍ଷୀରୋଦ ପଣ୍ଡା, ପଣ୍ଡିତ ଅବଧୁତ ରାଉତ, ପଣ୍ଡିତ କ୍ଷୀରୋଦ ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ଡିସେମ୍ବର ୮ ତାରିଖରେ ପଣ୍ଡିତ ସଭାର ପରବର୍ତ୍ତୀ ବୈଠକ କରାଯିବାକୁ ସ୍ଥିର କରାଗଲା ।