ତୁଳସୀପୁର ପଞ୍ଚାୟତ କଲ୍ୟାଣ ମଣ୍ଡପରେ ତାଲା ପକାଇଲେ ଗ୍ରାମବାସୀ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତରେ ଥିବା ଜୟ ଦୂର୍ଗା କଲ୍ୟାଣ ମଣ୍ଡପରେ ବୁଧବାର ତୁଳସୀପୁର ଗ୍ରାମବାସୀ ମାନେ ତାଲା ପକାଇଛନ୍ତି । ମଣ୍ଡପ ନିର୍ମାଣ ହୋଇଥିବା ସ୍ଥାନଟି ତୁଳସୀପୁର ଗ୍ରାମର କୋଠ ଜମି ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ଜମି ଉପରେ ପଞ୍ଚାୟତକୁ ଆସିଥିବା ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପୂର୍ବରୁ ପଞ୍ଚାୟତ ସହିତ ଗ୍ରାମବାସୀଙ୍କ ମଧ୍ୟରେଏକ ଚୁକ୍ତି ହୋଇଥିଲା। ମଣ୍ଡପରୁ ଯେଉଁ ଆୟ ହେବ ସେଥିରୁ ଗ୍ରାମର ଠାକୁରାଣୀଙ୍କ ପାଇଁ ପଞ୍ଚାୟତ କିଛି ଟଙ୍କା ଦେବା ପାଇଁ ଏହି ଚୁକ୍ତିନାମା ହୋଇଥିଲା। ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ବ ହେବ ମଣ୍ଡପରୁ ପଞ୍ଚାୟତ ଭଲ ରୋଜଗାର କରିଥିଲେ ମଧ୍ୟ ଠାକୁରାଣୀଙ୍କ ପାଇଁ ଚୁକ୍ତି ଅନୁସାରେ ଏକ ଟଙ୍କାବି ପ୍ରଦାନ କଲେ ନାହିଁ। ଫଳରେ ବୁଧବାର ଦିନ ଗ୍ରାମବାସୀ ଗ୍ରାମ୍ୟ କମିଟିର ସଭାପତି ବନ ବିହାରୀ ଦାଶ, ୱାର୍ଡ ସଭ୍ୟ ଦୂର୍ଗା ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଗ୍ରାମରେ ଏକ ବୈଠକ ବସିଥିଲା । ଏହି ବୈଠକରେ ବୁଧବାର ଦିନ ଗ୍ରାମବାସୀମାନେ ଆସି ମଣ୍ଡପରେ ଚେନ ମାରି ତାଲା ପକାଇ ଥିଲେ । କାର୍ଯ୍ୟକ୍ରମରେ ଅନିରୁଦ୍ଧ ତ୍ରିପାଠୀ, ପ୍ରଦୀପ୍ତ କୁମାର ନାୟକ, ଛବିନ୍ଦ୍ର ମଲ୍ଲିକ, ସନ୍ତୋଷ ଦାଶ, କୈଳାସ ଚନ୍ଦ୍ର ତ୍ରିପାଠୀ, ବିଜୟ ମଲ୍ଲିକ, ନିରଞ୍ଜନ ତ୍ରିପାଠୀ, ରଜନୀକାନ୍ତ ତ୍ରିପାଠୀ, ଗଗନ ଭୋଇ, ଅଭିନ ଭୋଇ, କାଳୁ ସାହୁ, ଦ୍ଵିଜବର ସାହୁ ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ । ଚୁକ୍ତି ଅନୁସାରେ ଟଙ୍କା ନ ମିଳିବା ପର୍ଯ୍ୟନ୍ତ କଲ୍ୟାଣ ମଣ୍ଡପରେ ତାଲା ପଡି ରହିବ ବୋଲି ଗ୍ରାମବାସୀ କହିଛନ୍ତି ।