ତୁଳସୀ ମହିଳା କଲେଜରେ ପୈାରସଂସ୍ଥା ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ
କେନ୍ଦ୍ରାପଡ଼ା,(ଚିତ ରଞ୍ଜନ ଦାସ) : ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ପୈାରସଂସ୍ଥା ପକ୍ଷରୁ ଏକ ୨ଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ବା କ୍ୱାରେଂଟାଇନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି ମହାବିଦ୍ୟାଳୟର ୧୮ଟି ଗୃହରେ ସାମାଜିକ ଦ୍ୱରତାକୁ ପ୍ରାଧାନ୍ୟ ଦିଆଯାଇ ୨ଶହ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ରକୁ ୨ଭାଗରେ ବିଭକ୍ତ କରାଯାଇ ଗୋଟିଏ ବିଲଡିଂରେ ମହିଳାଙ୍କ ନିମନ୍ତେ ୮୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଅନ୍ୟ ବିଲିଡିଂ ଗୁଡିକରେ ଏକଶହ ୨୦ଟି ଶଯ୍ୟା ପୁରୁଷଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି । ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା ସହିତ ସ୍ୱଛ ପାନୀୟ ଜଳ ନିମନ୍ତେ ଆକୁଆଗାର୍ଡ ଲଗାଯାଇଛି । ଏଥିସହିତ ଏହି କେନ୍ଦ୍ରରେ ସଦାସର୍ବଦା ବିଦ୍ୟୁତ ବ୍ୟବସ୍ଥା ଜାରି ରଖିବାକୁ ଇନଭଟର ମଧ୍ୟ ଲଗାଯାଇଛି । ସେହିପରି ଆବଶ୍ୟକତା ଅନୁଯାଇ ଏହି ଦୁଇଶହ ଲୋକଙ୍କ ନିମନ୍ତେ ଅଧିକ ପାଇଖିନା ଓ ଗାଧୁଆଘରର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଗୃହରେ ବିଦ୍ୟୁତ ପଙ୍ଖା ଲଗାଯିବା ସହ ପ୍ରତ୍ୟେକ ଶଯ୍ୟା ନିକଟରେ ଦୈନିକ ଆବଶ୍ୟକତା ପାଇଁ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି । କଲେଜ ପରିସରକୁ ସଫା ସୁତୁରା କରାଯିବା ସହ ପରିସର ଓ କେନ୍ଦ୍ରର ପ୍ରତ୍ୟେକ ଗୃହ ଗୁଡିକୁ ସାନିଟାଇଜ କରାଯାଇଥିବା ଦେଖିବାକୁ ମିଳିଛି । ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସଙ୍ଗରୋଧ କେନ୍ଦ୍ରକୁ ଅତ୍ୟନ୍ତ ସୁନ୍ଦର ଓ ସାବଲୀଳ ଭାବରେ ପ୍ରସ୍ତୁତ କରାଯାଇଛି । ଆଜି ସୁଧା ୫ଶହରୁ ଉର୍ଦ୍ଧ୍ୱ ଲୋକ ପୋରାଚଂଳକୁ ଆସିବାକୁ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ଏହିକେନ୍ଦ୍ର ବ୍ୟତିତ ପୈାରସଂସ୍ଥା ପକ୍ଷରୁ ଉଦୟନଗରସ୍ଥିତ କଲ୍ୟାଣ ମଣ୍ଡପ, ଉର୍ଦ୍ଦୁ ପାଠାଗାର, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଫ୍ରେଜର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅଭୟା ସଂସ୍କୃତ ମହାବିଦ୍ୟାଳୟ, ଇଛାପୁର ଉଚ୍ଚ ବିଦ୍ୟାଳୟ, ବଳଦେବ ଉଚ୍ଚ ବିଦ୍ୟାଳୟ ଓ ଜଇପୁରା ସ୍ଥିତ ଆଶ୍ରୟସ୍ଥଳୀରେ ମଧ୍ୟ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ର ଦାୟୀତ୍ୱରେ ପୈାରସଂସ୍ଥା ପକ୍ଷରୁ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ସହିତ ତାଙ୍କ ଅଧିନରେ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ଶିକ୍ଷକଙ୍କ ସହ ଏକ ୮ଜଣିଆ ଟିମକୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁଥିବା ଲୋକମାନଙ୍କ ଖବର ବୁଝିବାକୁ ପ୍ରସ୍ତୁତ ରଖାଯାଇଛି ।