ତୁଳସୀ ମହିଳା କଲେଜ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ଭେଟିଲେ ବିଧାୟକ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଆଳି, ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୬୭ଜଣ ପ୍ରବାସୀ ଯୁବତୀମାନଙ୍କୁ ଭେଟିଛନ୍ତି । ପ୍ରବାସୀଙ୍କ ଠାରୁ ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝିବା ସହିତ ସେହି କେନ୍ଦ୍ରରେ ପ୍ରବାସୀଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ଉଚିତ ଧ୍ୟାନ ଦେବାକୁ ଉପସ୍ଥିତ ଥିବା ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ବିଧାୟକ ସାହୁ ସାଙ୍ଗରେ ଆଣିଥିବା ଖାଦ୍ୟ ପୁଡିଆ, ପାଣି ବୋତଲ, ସାନିଟାଇଜର, ମାସ୍କ ଓ ଗ୍ଲୋବସ ପ୍ରଭୃତି ମଧ୍ୟ ପ୍ରବାସୀମାନଙ୍କୁ ଦେଇଥିଲେ । କେରଳର କାଇଟାକ୍ସ କମ୍ପାନୀରେ ଚାକିରୀ କରୁଥିବା ଏହି ପ୍ରବାସୀ ଯୁବତୀମାନେ କେରଳରୁ ଗତ ଅପ୍ରେଲମାସ ୯ତାରିଖରେ ରେଳ ଯୋଗେ ଆସିବାକୁ ଥିଲେ ମଧ୍ୟ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ଯୋଗୁଁ ତାହା ବାତିଲ ହୋଇଥିଲା । ବିଧାୟକ ଏସମ୍ପର୍କରେ କେରଳ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାର ଜିଲ୍ଲାପାଳ, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ କଥା ହେବା ପରେ ଏହି ପ୍ରବାସୀମାନଙ୍କ ଫେରିବା ସମ୍ଭବ ହୋଇପାରିଲା । ପ୍ରବାସୀ ଯୁବତୀମାନଙ୍କୁ ସେଠାରୁ ଓଡିଶା ଫ୍ଲାଇଟ ଯୋଗେ ଆସିବା ପାଇଁ ଚଳଚିତ୍ର ତାରକା ସୋନି ସୁଟ ସମସ୍ତ ଖର୍ଚ୍ଚ ବହନ କରିଥିଲେ । କେରଳରୁ ଯୋଗାଯୋଗ କରି ଓଡିଶାକୁ ପ୍ରବାସୀମାନଙ୍କୁ ଆଣିବାରେ ବରିଷ୍ଠ ଆଇ.ପି.ଏସ.ଅଧିକାରୀ ଅରୁଣ ବୋଥ୍ରା ମଧ୍ୟ ସହଯୋଗ କରିଥିଲେ । ବିଧାୟକ ସାହୁ ଚଳଚିତ୍ର ତାରକା ସୋନି ସୁଟ ଓ ବରିଷ୍ଠ ଆଇ. ପି. ଏସ. ଅଧିକାରୀ ଅରୁଣ ବୋଥ୍ରାଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।