ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୀତିକବି ଦିଲ୍ଲୀପ ବେହୁରାଙ୍କ ସ୍ମୃତି ସଭା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୀତିକବି ସ୍ୱର୍ଗତ ଦିଲ୍ଲୀପ କୁମାର ବେହୁରାଙ୍କ ସ୍ମୃତିସଭା ସ୍ଥାନୀୟ ସୁନାଦେଈ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ଅନୁରୋଧ କ୍ରମେ କୋଭିଡ଼ ନିୟମ ଅନୁପାଳନ କରି ୰ ଦିଲ୍ଲୀପ ବେହୁରାଙ୍କ ସହିତ ଜଡ଼ିତ ସାହିତ୍ୟିକ ଓ ତାଙ୍କର ପ୍ରଶଂସକ ଏହି ସ୍ମୃତିସଭାରେ ଯୋଗଦେଇ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବେହୁରା ଏକଧାରାରେ ଜଣେ ସହିତ୍ୟ ସଂଗଠକ, କବି, ସ୍ତମ୍ଭକାର, ସମାଲୋଚକ, ବର୍ଣ୍ଣବିତାନ ଭଳି ଏକ ସୃଜନଶୀଳ ସାହିତ୍ୟ ପତ୍ରିକାର ସମ୍ପାଦନା କରିବା ସହିତ ଓଡ଼ିଶାର ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭାଷା ସଂସ୍କୃତି ସମାଜ’କୁ ସମଗ୍ର ଓଡ଼ିଶାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଚିତି ଲାଭ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ । ଏହି ସଭାରେ ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା, ପରାମର୍ଶଦାତା ନବକିଶୋର ବେହେରା, ମନୋରଞ୍ଜନ ମହାନ୍ତି, ଅକ୍ଷୟ ବେହେରା, ସୁଷମା ମହାପାତ୍ର, ଗୀତିକବି ବିପିନ ମହାନ୍ତି, ବିମ୍ବାଧର ବାରିକ, ସୌଦାମିନୀ ବେହେରା, ଭଜକୃଷ୍ଣ ମହାନ୍ତି, ଚମକଚାନ୍ଦିନୀ ଦାଶ, ନିରୁପମା ମହାପାତ୍ର, ଗୋଦାବରୀଶ କର, ନଟବର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।