ତୂଳୀରେ ଓଡ଼ିଆ ନବବର୍ଷକୁ ସ୍ୱାଗତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ଜାତିର ପାରମ୍ପରିକ ନବବର୍ଷ । ଦୁଃଖର ବିଷୟ, ଆମ ଓଡ଼ିଶାରେ ପ୍ରାୟ ଅଧିକାଂଶ ଲୋକ ଇଂରାଜୀ ନବବର୍ଷକୁ ବହୁ ଆଡ଼ମ୍ବର, ଉତ୍ସାହ, ଆଗ୍ରହ ଓ ଧୁମ୍ଧାମ୍ ସହକାରେ ପାଳନ କରିଥାନ୍ତି । କିନ୍ତୁ ନିଜର ଓଡ଼ିଆ ନବବର୍ଷ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନଥିବାର ଦେଖାଯାଏ । ଏମିତିକି ଅନେକ ଓଡ଼ିଆ ଲୋକ ଉକ୍ତ ଦିନଟିକୁ ପଣା ସଂକ୍ରାନ୍ତି ବୋଲି ଯେତେଦୂର ଜାଣିଥାନ୍ତି କିନ୍ତୁ ଏହି ଦିନଟିକୁ ଓଡ଼ିଆ ନବବର୍ଷ ବୋଲି ସେତେଟା ଜାଣିନଥାନ୍ତି । ଉତ୍କଳୀୟ ଏହି ନବବର୍ଷଟିକୁ ପ୍ରତିଟି ଓଡ଼ିଆଙ୍କ ମନରେ ଉଦ୍ରେକ କରିବା ପାଇଁ ୮ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ଓ ତୂଳୀରେ ଆଙ୍କିଛନ୍ତି ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ମହତ୍ୱ ରଖୁଥିବା ବୃନ୍ଦାବତୀ ଓ ବସୁନ୍ଧରାଙ୍କୁ । ଓଡ଼ିଆର ଅସ୍ମିତା ବଜାୟ ରଖିବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ଚିତ୍ର ମାଧ୍ୟମରେ ଆହ୍ୱାନ ଜଣାଇଛନ୍ତି । ଭୁଲି ଯାଅନା ଉତ୍କଳୀୟ ସଂସ୍କୃତିର ନବବର୍ଷକୁ । ପ୍ରତିଟି ଓଡ଼ିଆ ନିଜର ଆତ୍ମୀୟସ୍ୱଜନଙ୍କ ସହ ବନ୍ଧୁବାନ୍ଧବ, ସାଙ୍ଗ-ସାଥିମାନଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବାଣ୍ଟିବା ପାଇଁ ସଂକଳ୍ପ ନିଅନ୍ତୁ । ଓଡ଼ିଆ ନବବର୍ଷ ସମସ୍ତଙ୍କ ଜୀବନ ସୁଖମୟ, ଆନନ୍ଦମୟ ହେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶାନ୍ତନୁ କାମନା କରିଛନ୍ତି । ଶାନ୍ତନୁଙ୍କ ଏହି ଉଦ୍ୟମ ଓ ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର, ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବାର ଜଣାପଡ଼ିଛି ।