ତୃତୀୟ ପର୍ଯ୍ୟାୟରେ ୫୦ ହାଇସ୍କୁଲ ରୂପାନ୍ତରୀକରଣ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୧୦ଟି ବ୍ଲକର ୫୦ଟି ହାଇସ୍କୁଲ ‘ସ୍ମାର୍ଟସ୍କୁଲ’ରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ଗୁଡିକର ପଞ୍ଚାୟତ ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନଶିକ୍ଷକମାନଙ୍କୁ ସଚେତନତା ତଥା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭି.କୀର୍ତ୍ତି ଭାସନ୍ ଯୋଗଦେଇ ବର୍ତ୍ତମାନ ସ୍ମାର୍ଟସ୍କୁଲ ଶ୍ରେଣୀକକ୍ଷରେ ବ୍ଲାକ୍‌ବୋର୍ଡ ବଦଳରେ ଡିଜିଟାଲ୍ ବୋର୍ଡ ଲାଗିଛି । ଇଣ୍ଟରନେଟ୍ ମାଧ୍ୟମରେ ଶିକ୍ଷାଦାନ ହେଉଛି । ଶ୍ରେଣୀଗୃହର ରୂପରେଖ ବଦଳିବା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ପାଇଁ ଡିଜିଟାଲ୍ ମାଧ୍ୟମରେ ଶିକ୍ଷାଦାନ କରିବା ଲାଗି ବଛା ବଛା ଶିକ୍ଷକଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଏବେ ସୁଦ୍ଧା ଜିଲ୍ଲାର ୯୦୦ ଶିକ୍ଷକ ପ୍ରଶିକ୍ଷଣ ନେଇ ସାରିଛନ୍ତି । ତୃତୀୟ ପର୍ଯ୍ୟାୟରେ ମଧ୍ୟ ୫୦ଟି ହାଇସ୍କୁଲକୁ ସ୍ମାର୍ଟସ୍କୁଲ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିଲାଗି ଆପଣମାନଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ରହିଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୩୬୬ଟି ହାଇସ୍କୁଲକୁ ‘ସ୍ମାର୍ଟସ୍କୁଲ’ରେ ପରିଣତ କରାଯାଇଛି । ତୃତାୟ ପର୍ଯ୍ୟାୟରେ ଜଗନ୍ନାଥପ୍ରସାଦ ବ୍ଲକର ୬, କବିସୂର୍ଯ୍ୟନଗରର ୪, ଖଲ୍ଲିକୋଟର ୬, କୁକୁଡାଖଣ୍ଡିର ୨, ପାତ୍ରପୁରର ୫, ପୋଲସରାର ୫, ପୁରୁଷୋତ୍ତମପୁରର ୬, ରଙ୍ଗେଇଲୁଣ୍ଡାର ୫, ସାନଖେମୁଣ୍ଡିର ୨ ଓ ସୋରଡାର ୯ଟି ହାଇସ୍କୁଲକୁ ସ୍ମାର୍ଟସ୍କୁଲ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଅନୁଦାନ, ନିର୍ମାଣ, ସ୍ଥାନ ନିରୂପଣ ଆଦି ବିଭିନ୍ନ ବିବରଣୀ ଉପସ୍ଥାପନା କରିଥିଲେ । ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ୍‌.ରାଜେଶ୍ୱରୀ ଦୋରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ ସ୍ମାର୍ଟସ୍କୁଲର କାର୍ଯ୍ୟକାରିତା ବିଷୟରେ ଗୁରୁତ୍ୱାରୋପ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି(ତାଲିମ) ବାଣି ସୁକାନ୍ତ ବେବର୍ତା ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ