ତୃତୀୟ ପର୍ଯ୍ୟାୟ ଜନଗଣନା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ

ଆସିକା  (ୱାଇଏନ୍‍ଏସ୍‍): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟ ସାଙ୍ଗକୁ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ତ୍ରିଦିବସୀୟ ତୃତୀୟ ପର୍ଯ୍ୟାୟ ଗଣନାକାରୀ ଓ ସୁପରଭାଇଜର୍‍ମାନଙ୍କ ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ ହୋଇଯାଇଛି । ଏହି ଜନଗଣନା ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଳକ ଓ ମ୍ୟୁନିସିପାଲଟି ଅଞ୍ଚଳର ପ୍ରାୟ ଶତାଧୀକ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ତାଲିମ୍‍ ନେଇଥିଲା ବେଳେ ସହରର କେତେକ ଅଞ୍ଚଳର ଘରକୁ ଘର ବୁଲି ପ୍ରାକ୍‍ ପ୍ରସ୍ତୁତି ସ୍ୱରୂପ ନମୂନା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି ଜନଗଣନା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚାର୍ଜ ଅଫିସର ତଥା ଆସିକା ତହସିଲଦାର ସଙ୍ଗୀତା ସେଣଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ଜନଗଣନା କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର୍‍ ରାମନାଥ ପଟ୍ଟନାୟକ ଓ ଶିବଶଙ୍କର ଜେନା, ସୁନିଲ୍‍ କୁମାର ମହାରଣାଙ୍କ ସମେତ ବହୁ ଅଧିକାରୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି ତ୍ରିଦିବସୀୟ ଜନଗଣନା ପ୍ରଶିକ୍ଷଣ ଶିବିରରେ ସେନ୍‍ସସ୍‍ କାର୍ଯ୍ୟରେ ନିୟୋଜିତ ଥିବା ଗଣନାକକାରୀ ଓ ସୁପରଭାଇଜରମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ୨୦୧୧ ମସିହା ପରେ ଦୀର୍ଘ ୧୫ ବର୍ଷ ବ୍ୟବଧାନରେ ଜନଗଣନା ହେଉଥିବାରୁ ସମସ୍ତ ନାଗରିକମାନେ ସେନ୍‍ସସ୍‍ ପୋର୍ଟାଲ୍‍ରେ ଲଗିନ୍‍ କରି ନିଜର ସମସ୍ତ ବିବରଣୀ ଅନ୍‍ଲାଇନ୍‍ରେ କିପରି ସଠିକ୍‍ ଓ ସ୍ୱଚ୍ଛ ତଥ୍ୟ ଦାଖଲ କରିବେ, ଗୃହ ସଂଖ୍ୟାକରଣ, ହାଉସ୍‍ ଲିଫ୍ଟିଂ, ଅନ୍‍ଲାଇନ୍‍ ତଥ୍ୟ ସଂଗ୍ରହ, ନିର୍ଭୁଲ ଭାବେ ସମସ୍ତ ତଥ୍ୟ ଅପ୍‍ଲୋଡ୍‍ କରିବା, ଜନଗଣନା ସର୍ଭେରେ ସ୍ୱଚ୍ଛତା ଅବଲମ୍ବନ କରି ଲୋକଙ୍କୁ ନିଜ ନିଜର ସଠିକ୍‍ ତଥ୍ୟ ପ୍ରଦାନ ପାଇଁ ଉତ୍ସାହିତ କରିବା ସମେତ ବିଭିନ୍ନ ଜନଗଣନା ସମ୍ବନ୍ଧୀୟ ନିତୀନିୟମ ଉପରେ ମାର୍ଗଦର୍ଶନ କରାଯାଇଥିଲା । ଆସନ୍ତାକାଲି ଅର୍ଥାତ୍‍ ଏପ୍ରିଲ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମୋବାଇଲ୍‍ ଆପ୍‍ ଜରିଆରେ ଜନସାଧାରଣ ୩୩ଟି ପ୍ରଶ୍ନର ସ୍ୱୟଂ ଜନଗଣନା ତଥ୍ୟ ପ୍ରଦାନ କରିବେ ଏବଂ ଏପ୍ରିଲ ମାସ ୧୬ ତାରିଖରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବେ । ଦେଶର ପ୍ରଥମ ଡିଜିଟାଲ୍‍ ଜନଗଣନା ୨୦୨୭ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହେବାକୁ ଥିବା ବେଳେ ଏହା କିପରି ନିର୍ଭୁଲ ଭାବେ ହୋଇପାରିବ ସେ ସଂପର୍କରେ ମାଷ୍ଟର ଟ୍ରେନର୍‍ ତଥା ଆସିକା ବିଇଓ ମୁନ୍‍ରାଣୀ ମହାନ୍ତି, ଶିବଶଙ୍କର ଜେନା ଓ ରାମନାଥ ପଟ୍ଟନାୟକ ଓ ସୁନିଲ୍‍ କୁମାର ମହାରଣାଙ୍କ ସମେତ ଅନ୍ୟ କର୍ମଚାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ତ୍ରିଦିବସୀୟ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିରରେ ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ତାରା ପ୍ରସାଦ ମିଶ୍ର, ରାମକୃଷ୍ଣ ପଣ୍ଡା, ପ୍ରଦୀପ କୁମାର ନାୟକ, ପାଣ୍ଡବ ଗୌଡ, ବି.ଚନ୍ଦ୍ରଶେଖର ରେଡି, ବାଳକୃଷ୍ଣ ଲେଙ୍କା, ନିଳାମ୍ବର ମହାପାତ୍ର, କୁଂଜବିହାରୀ ଜେନା, ପ୍ରଫୁଲ ବେହେରା, ରୁବିତା ବେହେରା, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରାଙ୍କ ସମେତ ପ୍ରାୟ ଶତାଧୀକ ଉର୍ଦ୍ଧ୍ୱ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକ ତାଲିମ୍‍ ନେଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ