ତୃତୀୟ ପର୍ଯ୍ୟାୟ ଭୋଟ ପରିଚାଳନା ଲାଗି ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ
ଅନୁଗୁଳ (ଜୁଗାବ୍ଦ ନ୍ୟୁଜ୍): ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କାର୍ଯ୍ୟ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଦ୍ୟୁତ ତ୍ରୀବେଦୀଙ୍କ ଅଧ୍ୟକ୍ଷତାରେ ରବିବାର ପୂର୍ବାହ୍ନରେ ପଞ୍ଚାୟତ ତାଲିମ୍ ଗୃହଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହ ପ୍ରାର୍ଥୀମାନଙ୍କର ଖର୍ଚ୍ଚର କଡ଼ାକଡ଼ି ହିସାବ ରଖିବାକୁ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରକାର ରେଜିଷ୍ଟ୍ରାର ଗୁଡ଼ିକ ସଠିକ୍ ଭାବେ ନିର୍ଦ୍ଧାରିତ ସମୟରେ ପରିଚାଳନା କରାଯାଉଛି କି ନାହିଁ ସେ ସମୀକ୍ଷା କରିଥିଲେ । ପ୍ରାର୍ଥୀମାନଙ୍କର ସମସ୍ତ ପ୍ରକାର ଖର୍ଚ୍ଚକୁ ଅପଡେଟ୍ କରିବା ସହ ଭିଡିଓ ସର୍ଭେନାନ୍ସ ଟିମ୍ ସମସ୍ତ ପ୍ରକାର ରେକର୍ଡିଂକୁ ଆଜି ସନ୍ଧ୍ୟା ସୁଦ୍ଧା ଭିଡିଓ ଭିଉଇଙ୍ଗ ଟିମ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ମିଡିଆ ସାର୍ଟିଫିକେସନ ଓ ମନିଟରିଂ କମିଟି ସମସ୍ତ ପ୍ରକାର ତଥ୍ୟ ଆକାଉଣ୍ଟିଂ ଟିମ୍କୁ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସମସ୍ତ ଟିମ୍ ସହିତ ଉପଯୁକ୍ତ ସମନ୍ୱୟ ରଖି ତଥ୍ୟ ଗୁଡ଼ିକୁ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଅନ୍ୟଜଣେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏସ୍ ବୀରାମୁଥି ଅପରାହ୍ଣରେ ଜିଲ୍ଳାପାଳ ମନୋଜ କୁମାର ମହାନ୍ତିଙ୍କ ସହ ମତଦାନ କେନ୍ଦ୍ରଗୁଡ଼ିକରେ ଜିଲ୍ଲା ପ୍ରସାଶନ ତରଫରୁ ଯୋଗାଇ ଦିଆଯାଉଥିବା ନିଶ୍ଚିତ ସର୍ବନିମ୍ନ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ । ପର୍ଯ୍ୟବେକ୍ଷକଙ୍କର ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାକେଶ କୁମାର କଣ୍ଡୁ, ଲିଆସନିଂ ଅଫିସର ପ୍ରଦୋଷ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀଙ୍କ ସମେତ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଭିନ୍ନ ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ ।