ତୃତୀୟ ବିଶ୍ୱଯୁଦ୍ଧ ଏଡାଇବା ପାଇଁ ଶାନ୍ତିର ବାର୍ତ୍ତାଦେଲେ ପଦ୍ମଶ୍ରୀ ବାବା ବଳିଆ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଅରିଲୋ ଆଶ୍ରମର ପ୍ରତିଷ୍ଠାତା ପଦ୍ମଶ୍ରୀ ବାବା ବଳିଆ କେନ୍ଦ୍ରାପଡା ସହରର ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସୋମବାର ଉପସ୍ଥିତ ରହି ତୃତୀୟ ବିଶ୍ୱଯୁଦ୍ଧର ନକାରାତ୍ମକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ଚାହିଁଲେ ତୃତୀୟ ବିଶ୍ୱଯୁଦ୍ଧକୁ ଟାଳିବାକୁ ବିଶ୍ୱର ସବୁ ଶକ୍ତିଶାଳୀ ଦେଶକୁ ଏକାଠି କରିପାରିବ ବୋଲି ବାବା ବଳିଆ କହିଥିଲେ । ତୃତୀୟ ବିଶ୍ୱଯୁଦ୍ଧକୁ ଏଡେଇ ଦେବାପାଇଁ ବାବା ବଳିଆ ଜାତିସଂଘ ନିକଟରେ ଅପିଲ କରିଥିବା ଓ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ପତ୍ର ଲେଖିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଆଜିର ଯୁବ ସମାଜକୁ ପଦ୍ମଶ୍ରୀ ବାବା ବଳିଆ ନିବେଦନ କରିଥିଲେ ଯେ ନିଶାଠାରୁ ଦୂରରେ ରହି ଗଣତାନ୍ତ୍ରିକ ଉପାୟରେ ଲୋକପ୍ରତିନିଧିମାନଙ୍କୁ ଚୟନ କରିପାରିଲେ ଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଗଠନ କରାଯାଇପାରିବ । ଏହା ବ୍ୟତିତ ପରିବେଶକୁ ସ୍ୱଛ ଓ ସୁସ୍ଥ ରଖିବା, ବୃକ୍ଷରୋପଣ କରିବା, ଜଙ୍ଗଲକୁ ସୁରକ୍ଷା ଦେବା, ପଶୁପକ୍ଷୀ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା, ଅନ୍ଧ ବିଶ୍ୱାସ ଦୂରକରି ସୁସ୍ଥ ସମାଜ ଗଠନ କରିବାକୁ ପଦ୍ମଶ୍ରୀ ବାବା ବଳିଆ ସମାଜକୁ ବାର୍ତ୍ତା ଦେଇଥିଲେ । ବାବା ବଳିଆ ପଦ୍ମଶ୍ରୀ ଉପାଧି ପାଇବା ପରେ ଏହା ତାଙ୍କର ପ୍ରଥମ କେନ୍ଦ୍ରାପଡା ଗସ୍ତ ଥିଲା ।