ତେଜୁଛି ନୂଆ ଶିକ୍ଷାନୀତି ବିବାଦ: ତ୍ରିଭାଷୀ ବ୍ୟବସ୍ଥା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି: ମନ୍ତ୍ରୀ
ନୂଆଦିଲ୍ଲୀ(ଏଜେନ୍ସି): ବିଶିଷ୍ଟ ବୈଜ୍ଞାନିକ ତଥା ଇସ୍ରୋର ପୂବର୍ତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନୂଆ ଶିକ୍ଷାନୀତି ସମ୍ପର୍କରେ ଯେଉଁ ଚିଠା ପ୍ରସ୍ତାବ ଦେଇଛନ୍ତି, ତାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେଥିରେ ତ୍ରିଭାଷୀ ବ୍ୟବସ୍ଥା ନେଇ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ମାତୃଭାଷା, ଇଂରାଜୀ ଓ ହିନ୍ଦୀ ଏହି ୩ଟି ଭାଷାକୁ ଲାଗୁ କରିବା ନେଇ କମିଟି ଯେଉଁ ସୁପାରିଶ କରିଛନ୍ତି ତାହା କେବଳ ଚିଠାସ୍ତରରେ ରହିଛି ଏବଂ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ସରକାରୀ ଭାବେ ନିଆଯାଇନାହିଁ । ତେଣୁ ଏ ନେଇ ଅଯଥାରେ ବିଭ୍ରାନ୍ତ ସୃଷ୍ଟି କରାଯିବାର ଆବଶ୍ୟକତା ନାହିଁ । ଏହି ଚିଠା ପ୍ରସ୍ତାବକୁ ଜନସାଧାରଣଙ୍କ ବିଚାର ପାଇଁ ଉପସ୍ଥାପିତ କରାଯିବ, ଏହାପରେ ରାଜ୍ୟ ସରକାରଙ୍କ ସହ ପରାମର୍ଶକ୍ରମେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ, କୌଣସି ଅଞ୍ଚଳ ବା ରାଜ୍ୟ ଉପରେ ନିର୍ଦ୍ଦିଷ୍ଟ ଭାବେ ଅନ୍ୟ କୌଣସି ଭାଷା ଲଦି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ସ୍ପଷ୍ଟ କରିଛନ୍ତି । ସେହିଭଳି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦ୍କର କହିଛନ୍ତି ଯେ, ସବୁ ଭାରତୀୟ ଭାଷାର ସମୁଚିତ ବିକାଶ ହେଉ ଏହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ଏଭଳି ସ୍ଥିତିରେ ଏକ ଚିଠା ପ୍ରସ୍ତାବର ସୁପାରିଶ ନେଇ ବିଭ୍ରାନ୍ତ ନହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ପ୍ରସ୍ତାବିତ ନୂଆ ଶିକ୍ଷାନୀତିରେ ହିନ୍ଦୀ ଭାଷାକୁ ସାମିଲ କରାଯିବାକୁ ପ୍ରସ୍ତାବ ରହିଥିବା ସମ୍ପର୍କରେ ଜଣାପଡିବା ପରେ ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଶେଷକରି ଦକ୍ଷିଣ ଭାରତର ରାଜ୍ୟଗୁଡିକ ଏବେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ତାମିଲ ସୁପରଷ୍ଟାର ତଥା ରାଜନେତା କମଲ ହାସନ୍ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ପରେ ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ହିନ୍ଦୀ ତାମିଲନାଡ଼ୁ ଲୋକଙ୍କ ରକ୍ତରେ ନାହିଁ ବୋଲି କହିଥିଲେ । ଏଥିସହ ଏହି ପ୍ରସଙ୍ଗକୁ ଡିଏମ୍କେ ସାଂସଦ ଗୃହରେ ଜୋରଦାର ଢଙ୍ଗରେ ଉଠାଇବେ ବୋଲି ଷ୍ଟାଲିନ୍ କହିଛନ୍ତି । ଷ୍ଟାଲିନ୍ଙ୍କ ମତରେ ତାମିଲନାଡୁବାସୀଙ୍କ ଉପରେ ହିନ୍ଦୀ ଭାଷାକୁ ଲଦିବା ମହୁଫେଣାରେ ଟେକା ମାରିବା ପରି । ଯଦି ଏହା ଲାଗୁ ହୁଏ ତେବେ ଡିଏମ୍କେ କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ଯୁଦ୍ଧ ଡାକରା ଦେବ । ଏଭଳି ପ୍ରସ୍ତାବ ଦେଶକୁ ଖଣ୍ଡ ଖଣ୍ଡ କରିଦେବ ବୋଲି ସେ ଚେତାଇ ଦେଇଛନ୍ତି ।


