ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ସହଯୋଗର ହାତ ବଢ଼ାଇଲେ ଅମିତାଭ
କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ବାରା ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି। କିଛିଦିନ ଆଗରୁ ଏହି ଲକଡାଉନକୁ ୩ ମେ ଯାଏ ବ୍ଦ୍ଧି କରାଯାଇଛି। ଏହି କାରଣରୁ ଦିନ ମଜୁରିଆମାନେ ବହୁତ ସମସ୍ୟାରେ ପଡ଼ିଛନ୍ତି। ବର୍ତ୍ତମାନ ସମୟରେ ସେମାନଙ୍କ ପାଖରେ ଆୟର କୌଣସି ଉତ୍ସ ନ ଥିବାରୁ ଦୁଇଓଳି ଖାଦ୍ୟ ଯୋଗାଡ଼ କରିବା ସେମାନଙ୍କ ପାଇଁ କଠିନ ହୋଇଯାଉଛି। ଏପରିସ୍ଥଳେ ଫିଲ୍ମ ଜଗତ ସମେତ ଅନ୍ୟାନ୍ୟ ବ୍ୟକ୍ତିମାନେ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ମହାନାୟକ ଅମିତାଭ ବଚ୍ଚନ ସାଉଥ ଇଣ୍ଡଷ୍ଟ୍ରୀର ୱାର୍କର୍ସମାନଙ୍କୁ ସହାୟତା କରିଛନ୍ତି। ତେଣୁ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାରା ଦେଶରେ ଏବେ ସଙ୍କଟର ସମୟ। ସାଉଥ ଇଣ୍ଡଷ୍ଟ୍ରୀ ୱାର୍କର୍ସମାନେ ମଧ୍ୟ ଲକଡାଉନ ପାଇଁ ସମସ୍ୟାରେ ପଡ଼ିଛନ୍ତି। ସାଉଥ ସୁପରଷ୍ଟାର ଚିରଞ୍ଜିବୀ, ରଜନୀକାନ୍ତଙ୍କ ସମେତ ପବନ କଲ୍ୟାଣ, ଅଲୁ ଅର୍ଜୁନ, ରାମଚରଣ ମଧ୍ୟ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ଇତିମଧ୍ୟରେ ଅମିତାଭ ବଚ୍ଚନ ମଧ୍ୟ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ୱାର୍କର୍ସଙ୍କୁ ସହାୟତା କରିଛନ୍ତି। ସେ ୧ କୋଟି ୮୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିଛନ୍ତି। ଅମିତାଭ ସେମାନଙ୍କ ପାଇଁ ୧୨,୦୦୦ ରିଲିଫ କୁପନର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ କୁପନ ୧୫୦୦ ଟଙ୍କା ଲେଖାଏଁ ଅଟେ। ଏହି କୁପନ ୱାର୍କର୍ସମାନଙ୍କ ମଧ୍ୟରେ ବିତରଣ କରାଯିବ।