ତେଲେଙ୍ଗନାରୁ ବାନ୍ଧିଲା ଶିଳ୍ପାଞ୍ଚଳ ପୁଲିସ
ବାଲେଶ୍ୱର, (ସରୋଜ ପଣ୍ଡା) : ପୋଲ କାମ କରୁଥିବାବେଳେ କୋଟି କୋଟି ଟଙ୍କାର ଜିନିଷ ନେଉଥିଲେ ଠିକାଦାର, ହେଲେ କାମ ଶେଷ ହେବା ପରେ କୋଟିଏରୁ ଅଧିକ ଟଙ୍କା ବାକି ରଖି ପଳାଇ ଥିଲେ। ରେମୁଣା ଗୋଲେଇସ୍ଥିତ ଗଙ୍ଗାଧର ହାର୍ଡ଼ୱାରର ମାଲିକ ଚିତ୍ତରଞ୍ଜନ ରାଉତଙ୍କ ଅଭିଯୋଗ ପରେ ଶିଳ୍ପାଞ୍ଚଳ ପୁଲିସ ସମ୍ପୃକ୍ତ ଠିକାଦାରକୁ ତେଲେଙ୍ଗାନାରୁ ଧରିବା ସହିତ ଅଦାଲତ ଚାଲାଣ କରିଛି। ପ୍ରକାଶ ଯେ, ବାଲେଶ୍ବର ପେଜଗଳା ପୋଲ ଓ ଜଳେଶ୍ଵରର ଅନ୍ୟ ଏକ ପୋଲ କାମର କାର୍ଯ୍ୟାଦେଶ ଯାଜପୁରର ‘ଆଶୀର୍ବାଦ କନଷ୍ଟ୍ରକସନ’ର ମାଲିକ ଅବିନାଶ ଦାସଙ୍କ ନାଁରେ ଥିଲା। କିନ୍ତୁ ଅବିନାଶ ଜଳେଶ୍ଵରର ପୋଲ କାମ ପାଇଁ ତେଲେଙ୍ଗାନାର ‘ଧାତ୍ରୀ ପ୍ରୋଜେକ୍ଟ’ର ମାଲିକ ଉଦୟ କୁମାର ଆଲାରୀଙ୍କୁ ଦାୟିତ୍ୱ ଦେଇଥିଲେ । କାମ ପାଇଁ ଆବଶ୍ୟକ ଲୁହା, ସିମେଣ୍ଟ ଇତ୍ୟାଦି ନେବାକୁ ଅବିନାଶ ଗଙ୍ଗାଧର ହାର୍ଡ଼ୱାର ମାଲିକ ଚିତ୍ତରଞ୍ଜନଙ୍କ ସହ ଉଦୟଙ୍କୁ ଜିନିଷପତ୍ର ଦେବା ନେଇ କଥାବାର୍ତା କରିଥିଲେ। ଏମିତିରେ ବିଭିନ୍ନ ପର୍ଯ୍ୟାୟରେ ଉଦୟ ପ୍ରାୟ ୧୨ କୋଟି ଟଙ୍କାର ଜିନିଷ ନେଇ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଦେଇଥିଲେ। ଉଦୟ ଜଳେଶ୍ଵର ଶାନ୍ତିଆରେ ଭଡ଼ାରେ ରହୁଥିବାବେଳେ ବାପା ରମେଶଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ବାପାଙ୍କୁ ନେଇ ଉଦୟ ଭୁବନେଶ୍ଵରର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଉଦୟଙ୍କ ସପରିବାର ଭୁବନେଶ୍ବର ହୋଇ ତେଲେଙ୍ଗାନା ଚାଲି ଯାଇଥିଲେ। ଏପଟେ ଗଙ୍ଗାଧର ହାଡ଼ୱାରର କୋଟିଏ ୭୮ ଲକ୍ଷ ଟଙ୍କା ବାକି ରହିଥିଲା ଏବଂ ପୋଲ କାମର ପ୍ରାୟ ୫ ପ୍ରତିଶତ କାମ ଶେଷ ହେବାକୁ ଥିଲା ବାକି ରହିଥିବା ଟଙ୍କା ସମ୍ପର୍କରେ ଚିତ୍ତରଞ୍ଜନ ଅବିନାଶକୁ ଅବଗତ କରିଥିଲେ । ଉଦୟର ପଡ଼ିଥିବା ଜିନିଷପତ୍ର ଉଠାଇ ନେବାକୁ ଚାହିଁବାରୁ ଅବିନାଶ ବୁଝାଇଥିଲେ ଯେ ମୋ ନାଁରେ ତ କାର୍ଯ୍ୟାଦେଶ ଅଛି ବର୍ତମାନ ଶେଷ ପର୍ଯ୍ୟାୟରେ କାମ ବନ୍ଦ ହେଲେ ଚୂଡ଼ାନ୍ତ ବିଲ ମିଳିପାରିବ ନାହିଁ । ତେଣୁ କାମ କରିବାକୁ ଦିଅନ୍ତୁ, ଆପଣ ଟଙ୍କା ପାଇଯିବେ ଇତି ମଧ୍ୟରେ ଉଦୟ ଓ ଅବିନାଶଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ଅବିନାଶ କାମ ଶେଷ କରିଥିଲେ ଓ ଅର୍ଥ ମଧ୍ୟ ଉଠାଇ ନେଇଥିଲେ। ମାତ୍ର ଚିତ୍ତରଞ୍ଜନ ଅର୍ଥ ପାଇନଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତେଲେଙ୍ଗାନା ଯାଇ ଉଦୟକୁ ଧରିଥିଲା ।