ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସମାହିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦୁଇବର୍ଷରୁ ଊର୍ଦ୍ଧ୍ୱସମୟ ଧରି କରୋନା କୋପରେ ଅସ୍ତବ୍ୟସ୍ତ ଜନଜୀବନ ଧୀରେ ଧୀରେ ସ୍ୱଭାବିକ ହୋଇ ଆସୁଥିବା ସମୟରେ ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବ୍ୟବସ୍ଥାରେ ଆଉକିଛି ବାଧା ନଉପୁଜିବା ଲକ୍ଷ୍ୟ ନେଇ ଡି.ଏ.ଭି କଳିଙ୍ଗ ନଗରଠାରେ ଏକ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଆଜାଦି କା ଅମୃତ ମହୋତ୍ସବ ଅବସରରେ ସମସ୍ତଙ୍କୁ ଟୀକାକରଣ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଡୋଜ୍, ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କ ପାଇଁବୁଷ୍ଟର ଡୋଜ୍ ଓ ୧୫ ରୁ ୧୮ ବର୍ଷ ଛାତ୍ର ଛାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ଡୋଜ ତଥା ତୃତୀୟଏବଂ ଶେଷ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ଦ୍ୱିତୀୟ ଡୋଜ ଆୟୋଜନ କରାଯାଇ ୩୫୦ରୁ ଊର୍ଦ୍ଧ୍ୱ ଟୀକା କରଣ କରାଯାଇଥିଲା । ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ଜାତୀୟ ହେଲ୍ଥ ମିଶନ ଆନୁକୁଲ୍ୟରେ ଟି.ସି.ଆଇ ଫାଉଣ୍ଡଡେସନ୍ ଓ ଘାଟିକିଆ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ସହଯୋଗରେ ଏହି ତିନି ପର୍ଯାୟ ଟୀକାକରଣ ସୂଚାରୁରୂପେ ସମ୍ପାଦିତ ହୋଇଥିଲା । ଡ. ଶୁଭ ଲକ୍ଷ୍ମୀବଳ ଓ ଡ. ଅରମାନ ନସିମ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ନାୟକ, ସ୍ମୃତିଲିପି ପଣ୍ଡା ଓ ତେଜସ୍ମିତା ନାୟକ ସହଯୋଗ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ପରିଚାଳନା ସମିତିଦ୍ୱାରା ଗଠିତ କୋଭିଡ୍ ମନିଟରିଙ୍ଗ୍ ଟିମ୍ ଦ୍ୱାରା କାର୍ଯ୍ୟକ୍ରମର ସଫଳ ପରିଚାଳନା କରାଯାଇଥିଲା ।


