ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିକଳ ସ୍ଥିତି
ବାଲେଶ୍ୱର, (ସରୋଜ ପଣ୍ଡା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶନିବାର କାମାଙ୍କନ ଯାଞ୍ଚ ଚାଲିଛି । ତେବେ ଚଳିତ ନିର୍ବାଚନରେ ବାଲେଶ୍ୱର ଜିଲାର ବିଭିନ୍ନ ପଦ ପାଇଁ ମୋଟ ୧୫,୯୨୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚରେ ସଂଶୋଧନ ପାଇଁ ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯାଉଥିବା ପରିଲକ୍ଷିତ ହୋଇଛି । ଏଥିରେ ୯୮୭୦ ୱାର୍ଡ଼ସଭ୍ୟ ପାଇଁ ୧୨,୨୭୯, ୩୫୬ ସରପଞ୍ଚ ପଦ ପାଇଁ ୧୮୯୨, ୩୫୬ ସମିତି ସଭ୍ୟ ପଦ ପାଇଁ ୧୫୧୪ ଓ ୪୫ ଜିଲା ପରିଷଦ ସଭ୍ୟ ପଦ ପାଇଁ ୨୩୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଏଥର ନିର୍ବାଚନରେ ଜିଲା ପରିଷଦ ସଭ୍ୟ ସମେତ ସରପଞ୍ଚ ଓ ୱାର୍ଡ଼ସଭ୍ୟ ପଦ ପାଇଁ ଦାଖଲ ସର୍ବାଧିକ ପ୍ରାର୍ଥିପତ୍ର ଦଳୀୟ ଅନ୍ତକନ୍ଦଳକୁ ଯେ ପଦାରେ ପକାଇଛି, ଏହାକୁ କେବେ ଅସ୍ୱୀକାର କରାଯାଇ ନପାରେ । ଦଳୀୟ ଟିକଟ ପାଇନଥିବା କିଛି ଅସନ୍ତୁଷ୍ଟ ଆଶାୟୀ ଜିଲା ପରିଷଦ ପଦରେ ସମାନ୍ତରାଳ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ସରପଞ୍ଚ ପଦରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦୀର୍ଘଦିନ ଧରି ଦଳର ଶୃଙ୍ଖଳିତ ଛାମୁଆ କର୍ମୀ ଭାବେ ସଙ୍ଗଠନ ଦାୟିତ୍ୱ ତୁଲାଇ ଆସିଥିବା କର୍ମୀଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରା ନଯିବା ଯୋଗୁଁ ଅଧିକାଂଶ ପଞ୍ଚାୟତରେ ସମାନ୍ତରାଳ ପ୍ରାର୍ଥୀ ଉପନୀତ ହୋଇଥିବା ଜଣାପଡ଼ିଛି । ଚଳିତ ନିର୍ବାଚନରେ ପ୍ରାୟ ପ୍ରତ୍ୟେକ ଦଳ ପକ୍ଷରୁ ଉଚ୍ଚଶିକ୍ଷିତ ସହ ଅର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ବିଶେଷଙ୍କୁ ପ୍ରାର୍ଥୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମାତ୍ର ଦୀର୍ଘଦିନରୁ ଦଳ ପ୍ର୍ତି ଆନୁଗତ୍ୟ ପ୍ରଦର୍ଶନ କରିଆସୁଥିବା କର୍ମୀଙ୍କୁ ଉପେକ୍ଷା କରାଯିବା ଯୋଗୁଁ ନିର୍ବାଚନରେ ଏଭଳି ସମାନ୍ତରାଳ ପ୍ରାର୍ଥୀ ନାମାଙ୍କନ ପରିସ୍ଥିତି ସୃଷ୍ଟି ହୋଇଛି । ସେହିଭଳି କେତେକ ବ୍ଲକରେ ଉପୁଜିଥିବା ଦଳୀୟ କନ୍ଦଳ ଯୋଗୁଁ ସମାନ୍ତରାଳ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ସୁଯୋଗ ଦେଇଥିବା କୁହାଯାଉଛି । କେତେକ ସ୍ଥାନରେ ଦଳର ସଭାପତି ସହ ବ୍ଳକ ସ୍ତରୀୟ ନେତା ଓ ସ୍ଥାନୀୟ କ୍ଷମତାସୀନ ଲୋକପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘଦିନରୁ ଚାଲିଥିବା ଶୀତଳ ଯୁଦ୍ଧ ମଧ୍ୟ ସମାନ୍ତରାଳ ପ୍ରାର୍ଥୀ ନାମାଙ୍କନର ଆଉ ଏକ କାରଣ ହୋଇଛି । ଏହି ସ୍ଥିତି ବାଲେଶ୍ୱରର ସକ୍ରିୟ ଥିବା ପ୍ରାୟ ସମସ୍ତ ରାଜନୈତିକ ଦଳରେ ପରିଲକ୍ଷିତ ହୋଇଛି । ୨୫ ତାରିଖ ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ରାଜନୈତିକ ଦଳଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ନାମାଙ୍କନ ପରଠାରୁ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ଛାମୁଆ କର୍ମୀମାନେ ବୁଝାସୁଝା କରୁଛନ୍ତି । ଏମିତିକି ଆଜି ଯାଞ୍ଚ ବେଳେ ବି କିଛି କିଛି ପଞ୍ଚାୟତର ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ସେଠାକାର କର୍ମୀମାନେ ଏକାନ୍ତକୁ ଡାକିନେଇ ବୁଝାଉଥିବା ଦେଖିବାକୁ ମିଳିଥିଲା । ୨୫ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ନ ହେଲେ ନିର୍ବାଚନ ଫଳାଫଳ ବିପକ୍ଷ ଦଳ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଯିବ, ଏଥିରେ କାହାର ଦ୍ୱିମତ ନାହିଁ ।