ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖରେ ଅନୁଷ୍ଟିତ ହେବ । କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ଡେରାବିଶ ବ୍ଲକରେ ଏହି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେଥିପାଇଁ ମଙ୍ଗଳବାର ଉଭୟ ବ୍ଲକର ୮୮୦ଟି ବୁଥକୁ ପୋଲିଂ ପାର୍ଟି ପଠା ଯାଇଥିବା ସୂଚନା ମିଳିଛି । ଆଳି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୩୪ପଞ୍ଚାୟତର ୪୯୦ଟି ବୁଥରେ ମତଦାନ ହେବାକୁ ଥିବା ବେଳେ ଡେରାବିଶ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୨୬ଟି ପଞ୍ଚାୟତର ୩୯୦ ବୁଥରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଡେରାବିଶ ବ୍ଲକରେ ୧୬ଟି ଅସ୍ଥାୟୀ ବୁଥ ଥିବା ବେଳେ ଆଳି ବ୍ଲକରେ କୈାଣସି ଅସ୍ଥାୟୀ ବୁଥ ନଥିବା ଜଣାପଡିଛି । ଆଳି ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୩୭ହଜାର ୮୩୫ ହୋଇଥିବା ବେଳେ ସେଥି ମଧ୍ୟରୁ ୭୨ହଜାର ୪୩୮ ପୁରୁଷ ଓ ୬୫ହଜାର ୩୯୭ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ଡେରାବିଶ ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୧୮ ହଜାର ୬୫୫ ହୋଇଥିବା ବେଳେ ସେଥି ମଧ୍ୟରୁ ୬୧ ହଜାର ୬୦୪ ପୁରୁଷ ଓ ୫୭ହଜାର ୫୧ଜଣ ମହିଳା ଭୋଟର ଅଛନ୍ତି । ଏହି ନିର୍ବାଚନ ପରିଚାଳନା ନିମନ୍ତେ ଆଳି ବ୍ଲକର ୪ଟି ଜୋନରେ ୧୪୭୦ଜଣ ପୋଲିଂ ପରସୋନେଲ, ୩୪ଜଣ ସେକ୍ଟର ଅଫିସର, ୪ଜଣ ସେକ୍ଟର ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୪ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୪ଜଣ କରି ମ୍ୟାଜିଷ୍ଟ୍ରେଟ, ୪୯୦ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୪୯ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ସେହିପରି ଡେରାବିଶ ବ୍ଲକର ୩ଟି ଜୋନରେ ୧୧୭୦ଜଣ ପୋଲିଂ ପରସୋନେଲ, ୨୬ଜଣ ସେକ୍ଟର ଅଫିସର, ୩ଜଣ ସେକ୍ଟର ସୁପରଭାଇଜର, ୧୬ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୩ଜଣ କରି ମ୍ୟାଜିଷ୍ଟ୍ରେଟ, ୩୯୦ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩୯ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ଆଳି ବ୍ଲକରେ ୧୯୩ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ଡେରାବିଶ ବ୍ଲକରେ ୧୯୨ଟି ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ଦିଆଯାଇଛି । ଏହି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି ।