ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଦ ସଂରକ୍ଷଣ ଆପତ୍ତିର ଶୁଣାଣି ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରକାଶିତ ସଂରକ୍ଷଣ ତାଲିକାକୁ ନେଇ ପ୍ରଶାସନ ପକ୍ଷରୁ ସୋମବାରଠାରୁ ଆରମ୍ଭ ହୋଇଛି ଆପତ୍ତି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ଜିଲା ପରିଷଦ ସଭାଗୃହରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଭବେଶ କୁମାର ନାୟକ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପ-ଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଜିଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କବକଅବ ଏବଂ ଜିଲା ପଞ୍ଚାୟତ ଅଧିକାରୀ ରବିଚନ୍ଦ୍ର କଅଁର ପ୍ରମୁଖଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସରକାରୀ ନିୟମକୁ ଭତ୍ତି କରି ସଂରକ୍ଷଣ ତାଲିକା ପ୍ରସ୍ତୁତି ହୋଇଥିବା ବେଳେ କାଁଭାଁ ଥିବା ତ୍ରୁଟିର ସଂଶୋଧନ ପାଇଁ ଉଚିତ ପଦକ୍ଷେପ ନିଆଯାଇଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ବିଶେଷ କରି ଧାର୍ଯ୍ୟ ବର୍ଗର ଲୋକ ନଥିବା ପଞ୍ଚାୟତ ବା ୱାର୍ଡ଼ର ସଂରକ୍ଷଣ ତାଲିକା ସଂଶୋଧନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ୧୨ ଗୋଟି ବ୍ଲକ ପାଇଁ ଖୋଲା ଯାଇଥିବା ୪ ଗୋଟି ଟେବୁଲରେ ପର୍ଯ୍ୟାୟ କ୍ରମେ ଅଭିଯୋଗ ଶୁଣାଣି ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ୩୬୦ ସରପଞ୍ଚ, ୩୬୦ ସମିତି ସଭ୍ୟ ଓ ୪୯୨୭ ଗୋଟି ୱାର୍ଡ଼ ସଭ୍ୟ ପଦ ପାଇଁ ଗତ ୮ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଥିଲା । ୯ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗ୍ରହଣ ପରେ ଏହା ଉପରେ ଶୁଣାଣି ଆରମ୍ଭ ହୋଇଛି । ଆସନ୍ତାକାଲି ବି ଏହି ଶୁଣାଣି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଜିଲା ପରିଷଦ ସଭ୍ୟପଦ ସଂରକ୍ଷଣ ବାବଦରେ ଆଜି ସଂଧ୍ୟା ସୁଦ୍ଧା ଅଭିଯୋଗ ଗ୍ରହଣ ଶେଷ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ଏହା ଉପରେ ବି ଶୁଣାଣି କରାଯିବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଶ୍ରୀ କଅଁର ସୂଚନା ଦେଇଛନ୍ତି ।