ତ୍ୟାଗ ର ଅନନ୍ୟ ପ୍ରତୀକ ନାରୀ

“ୟତ୍ର ନାଯ୍ୟାସ୍ତୁ ପୂଜ୍ୟନ୍ତେ,ରମନ୍ତେ ତତ୍ର ଦେବତା
ୟତ୍ରୈତାସ୍ତୁ ନ ପୂଜ୍ୟନ୍ତେ ସର୍ବାସ୍ତତ୍ରା ଫଳାଃ କ୍ରିୟାଃ”
ଯେଉଁ ଠାରେ ନାରୀ ମାନଙ୍କୁ ପୂଜା କରାଯାଏ। ସେହି ଠାରେ ଦେବତା ମାନେ ମଧ୍ୟ ସନ୍ତୁଷ୍ଟ ହୋଇଥାଆନ୍ତି। ଯେଉଁ ଠାରେ ନାରୀ ମାନଙ୍କୁ ଅସମ୍ମାନ କରାଯାଏ। ସେହି ଠାରେ ସବୁ କର୍ମ ନିଷ୍ଫଳ ହୋଇଥାଏ। ନାରୀ ର ସମାଜ ଗଠନ ରେ ଅନନ୍ୟ ଭୂମିକା ରହିଛି। ସେଥିପାଇଁ କୁହାଯାଏ “ନାରୀ ହେଲେ ପାଠୋଇ,ଦେଶ ଯିବ ଆଗେଇ” ଗୋଟେ ନାରୀ ହିଁ ନିଜ ପରିବାର କୁ ଶିକ୍ଷିତ କରିବା ସହିତ ସମାଜ କୁ ଉନ୍ନତି ପଥରେ ଆଗେଇ ନେଇପାରିବ । ନାରୀ ହେଉଛି ସ୍ନେହ ପ୍ରେମ ଶ୍ରଦ୍ଧା ର ଅନନ୍ୟ ପ୍ରତୀକ ।ପ୍ରକୃତି ରୂପକ ରଥକୁ ନାରୀ ପରିଚାଳନା କରିଥାଏ। ପଞ୍ଚ ଭୂତରେ ଆମ ଶରୀର ଗଢା, କିନ୍ତୁ ନାରୀ ଦ୍ଵାରା ହିଁ ଏହି ଜୀବ ଜଗତର ସର୍ଜନା ।
ଭଗଵାନ ଙ୍କ ସୃଷ୍ଟି ରେ ସବୁଠାରୁ ଅଦ୍ୱିତୀୟ ସୃଷ୍ଟି ହେଉଛି ‘ ନାରୀ ‘ । ସେ ଜୀବନ ର ସମ୍ପୂର୍ଣ ବୟସରେ ନିଜ ପାଇଁ ଆଉ ପରିବାର ପାଇଁ ତ୍ୟାଗ କରି ଚାଲି ଥାଏ । ତ୍ୟାଗ ର ଅନନ୍ୟ ପ୍ରତୀକ ହେଉଛି ନାରୀ । ପିଲା ଦିନରୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ କେବେ ନିଜ ପରିବାର ପାଇଁ କେବେ ଦେଶ ପାଇଁ ସର୍ବଦା ଅନ୍ୟର ମଙ୍ଗଳ ପାଇଁ ନିଜର ଖୁସି କୁ ତ୍ୟାଗ କରେ । ପୁରାଣ ଯୁଗ ରେ ନାରୀ ମାନଙ୍କ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯଜ୍ଞ କାର୍ଯ୍ୟରେ ନାରୀ ବିନା ଯଜ୍ଞ କରିବା ଅସମ୍ଭବ ଥିଲା ଯାହାକି ଆମେ ରାମାୟଣ ରେ ରାମ ଙ୍କ କ୍ଷେତ୍ର ରେ ଦେଖିଛୁ । ସୀତା ଙ୍କ ବିନା ଯଜ୍ଞ କରିହେବ ନାହିଁ ରାମ ଙ୍କୁ ଅନେକ ଦ୍ୱିତୀୟ ଥର ବିବାହ କରିବା ପାଇଁ କହିଥିଲେ କିନ୍ତୁ ରାମଚନ୍ଦ୍ର ଦ୍ୱିତୀୟ ଥର ଦାର ଗ୍ରହଣ ନ କରି ସେ ସୀତା ଙ୍କ ସୂର୍ଣ୍ଣ ମୂର୍ତ୍ତି କରି ଅଶ୍ୱମେଧ ଯଜ୍ଞ କରିଥିଲେ । ଏହି ଘଟଣାରୁ ଆମର ଶିଖିବା ଉଚିତ୍ ଯେ ନାରୀ ର ଅନୁପସ୍ଥିତି ରେ ଜଣେ ପୁରଷ କର୍ତ୍ତବ୍ୟ କଣ ହେବା ଉଚିତ୍।
“ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ”
ଜନନୀ ଏବଂ ଜନ୍ମଭୂମି ସ୍ୱର୍ଗ ଠାରୁ ବି ମହାନ୍ ମା ଯେପରି ନିଜ ସନ୍ତାନ ର ଲାଳନ ପାଳନ କରେ ସେମିତି ଜନ୍ମ ଭୂମି ନିଜର ଶୀତଳ ପାଣି ପବନ ଦେଇ ଜୀବନ କୁ ପରିପୁଷ୍ଟ କରେ ।ନାରୀ ଯେତେବେଳେ ନିଜ ସନ୍ତାନ ଉପରେ କୌଣସି ବିପଦ ଆସିଲେ ସର୍ବଦା ନିଜ ଜୀବନ କୁ ଖାତିର ନ କରି ନିଜ ସନ୍ତାନ କୁ ରକ୍ଷା କରେ। ଗୋଟେ ନାରୀର କେତେ ରୂପ ହୋଇଥାଏ । ସର୍ବଦା କର୍ତ୍ତବ୍ୟ ପାଳନ କରି ନିଜ ଜୀବନ କେତେବେଳେ ସରିଯାଏ ଜାଣି ହୁଏ ନାହିଁ । ଏ ସମାଜ ରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ନିଜକୁ ପ୍ରମାଣିତ କରିବା ପାଇଁ କେତେ ଯେ ପରୀକ୍ଷା ଦେବାକୁ ହୁଏ। କେତେବେଳେ ଭଲ ଝିଅ ତ କେତେବେଳେ ଭଲ ବହୁ ପୁଣି ଭଲ ମା ପରିଚୟ ସୃଷ୍ଟି କରେ।ଆଜି ବି ଆମ ସମାଜରେ ସମସ୍ତେ ଭଲ ବହୁ ଖୋଜନ୍ତି କିନ୍ତୁ କେହି ଝିଅ ଜନ୍ମ କରିବା ପାଇଁ ଚାହାଁନ୍ତି ନାହିଁ । ଆମେ ଆଜି ଏତେ ଆଗକୁ ବଢିବା ପରେ ଏତେ ଶିକ୍ଷିତ ହେଲା ପରେ କନ୍ୟା ଭୃଣ ହତ୍ୟା ପରି ଘୃଣ୍ୟ
କାମ ହେଉଛି ଆମ ସମାଜ ରେ । ଇତିହାସ ର ପୃଷ୍ଠା ଓଲଟାଇଲେ ଦେଖିପାରିବା ନାରୀ ମାନେ କୌଣସି ଗୁଣ ରେ କମ୍ ନୁହଁନ୍ତି।
ଏହି ଭାରତ ମାଟିରେ ଝାନ୍ସି ରାଣୀ ଲକ୍ଷ୍ମୀବାଇ, ଦୁର୍ଗା ବତୀ, ମୀରାବାଈ, ଗାର୍ଗୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରି ମହିୟସୀ ମହିଳା ଜନ୍ମ ନେଇଛନ୍ତି। ଖାଲି ସେତିକି ନୁହେଁ କଳ୍ପନା ଚାୱଲା, ସୁନିତା ୱିଲିଅମ୍ସଙ୍କ ପରି ନାରୀ ମାନେ ମହାକାଶରେ ପହଞ୍ଚି ଆମ ଦେଶ ପାଇଁ ଗୌରବ ଆଣିଛନ୍ତି l ଅଲମ୍ପିକ୍ ରେ ପଦକ ଜିତିଥିବା ଏମ୍ ସି ମ୍ୟାରୀକମ୍, ସାକ୍ଷୀ ମଲ୍ଲିକ, ପି ଭି ସିନ୍ଧୁ, ସାଇନା ନେହୱାଲ, ମନୁ ଭାକର ଙ୍କ ପରି ଅନେକ କ୍ରୀଡ଼ାବିତ୍ ଦେଶର ତ୍ରିରଙ୍ଗା ପତାକାକୁ ବିଶ୍ଵ ଆଗରେ ଉଡେଇଛନ୍ତି l ତେଣୁ ନାରୀ ଯେ ସବୁ କାର୍ଯ୍ୟ ପାଇଁ ସମର୍ଥ ସେଥିରେ ତିଳେ ମାତ୍ର ଅବକାଶ ନାହିଁ l
ଆମ ଓଡିଆ ଘରେ ପ୍ରତିଟି ମହିଳା ଚିତ୍ରକର, ବୈଜ୍ଞାନିକ ତଥା ପରିଚାଳନା ବିଦ୍ୟାରେ ନିପୁଣା l ଝୋଟି ଚିତା, ପିଠା ପଣା, ପୂଜା ପାର୍ବଣ, ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ସମନ୍ବୟ ରଖିବା କ୍ଷେତ୍ରରେ ସେମାନେ ଶ୍ରେଷ୍ଠ l କଳିଙ୍ଗର ସୁପୁତ୍ରୀ ମାନଙ୍କ ପ୍ରଚ୍ଛଦ ପଟରେ ଅବଦାନ ଓ ତ୍ୟାଗପାଇଁ ଏହି ଶ୍ରେଷ୍ଠ ଓଡିଆ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଯାଏଁ ବିସ୍ତୃତ ଥିଲା l
“ବିଶ୍ଵ ବରେନ୍ୟା ସମାଜ ରେ ଧନ୍ୟା
ସବୁଠାରେ ସେ ତ ଜୟୀ, ସବୁଠାରେ ଦିଏ ହୃଦୟ ତାହାର
ସୁଶିକ୍ଷାରେ ପରିଚୟୀ ।”
ଆଜି ଏ ନାରୀ ଙ୍କୁ ଅବଳା ଦୁର୍ବଲା ଭାବିବା ସହ ନାରୀ ଙ୍କୁ ଖେଳନା ର କଣ୍ଢେଇ ଭାବୁଛନ୍ତି ଅନେକ। ସମାଜ ରେ ଚାଲିଆସୁଥିବା କୁ ସଂସ୍କାର ଆଉ ଅନ୍ଧବିଶ୍ୱାସ ହିଁ ନାରୀ ଉତ୍ପୀଡନ ର ମୂଳ କାରଣ। ନାରୀ ଟିଏ ସବୁବେଳେ ଫୁଲ ପରି ନିର୍ମଳ ଆଉ ପବିତ୍ର କିନ୍ତୁ ଏଠି ତାକୁ ପାଦେ ପାଦେ ରେ ଅଗ୍ନି ପରୀକ୍ଷା ର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନାରୀର ପଦମର୍ଯ୍ୟାଦା ଏତେ ମହାନ ଯେ ଆମେ ପୃଥିବୀ ଓ ଭାରତକୁ ମାତା ବୋଲି ସମ୍ବୋଧନ କରିବା ସତ୍ତ୍ୱେ ମଧ୍ଯ ବିଭିନ୍ନ କ୍ଷେତ୍ରରେ ଆମ ସାମାଜିକ ବିଧି ବ୍ୟବସ୍ଥାରେ ନାରୀ ମାନଙ୍କୁ ହିଂସା, ଲିଙ୍ଗଗତ ବୈଷମ୍ୟର ଶିକାର ହେବାକୁ ପଡ଼ୁଛି। ବର୍ତ୍ତମାନ ସମୟ ରେ ନାରୀ ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ସରକାର ମଧ୍ୟ ସହଯୋଗ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ତେଣୁ ନାରୀ ମାନଙ୍କୁ ସୁରକ୍ଷା ଦେବା ସହିତ ସମାଜ ର ଉନ୍ନତି ସ୍ରୋତ ରେ ସାମିଲ କରିବା ଉଚିତ୍। ନାରୀ ମାନେ ଉନ୍ନତି କଲେ ସମାଜ ର ଉନ୍ନତି ହୋଇପାରିବ।
ରାଜସ୍ମିତା ବାରିକ୍
ନୀଳଗିରି, ବାଲେଶ୍ଵର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ