ଥଣ୍ଡା,କାଶ,ଜ୍ୱର ହେଲେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ଚିକିତ୍ସା କରାନ୍ତୁ : ଜିଲ୍ଲାପାଳ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରୁ ବରିଷ୍ଠ ଅଧିକାରୀଗଣ ଜିଲ୍ଲାର ପ୍ରତି ଅଞ୍ଚଳ ଗସ୍ତ କରି କୋଭିଡ୍ ପରିଚାଳନା କାର୍ଯ୍ୟ ତଦାରଖ କରିବେ । କୋଭିଡ୍ କେୟାର ହୋମରେ ସମସ୍ତ ଆବଶ୍ୟକୀୟ ସେବା ସାମଗ୍ରୀ ମହଯୁଦ ରଖିବା ସହିତ ସ୍ୱଚ୍ଛତା ବଜାୟ ରଖିବା ଏବଂ ସେହିଠାରେ ରହିଥିବା ବ୍ୟକ୍ତିଙ୍କୁ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଓ ଗରମ ପାନୀୟ ଜଳ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଦେଖାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ କୌଣସି ଉତ୍ସବ ଯେମିତି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଥଣ୍ଡା,କାଶ,ଜ୍ୱର ହେଲେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲାପାଳ ଏହି ବୈଠକରେ କହିଥିଲେ ।


