ଥମିବାର ନାଁ ନଉନି ସାମାଜିକ ବାସନ୍ଦ ଘଟଣା : ଏସପିଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ରବିନ୍ଦ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ନିତିଦିନିଆ ଘଟଣା ପାଲଟିଯାଇଛି । ଏନେଇ ବାରମ୍ବାର ପୋଲିସ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗର ଲମ୍ବା ଧାଡି ଦେଖିବାକୁ ମିଳିଛି । ସାଧାରଣ ପରିବାର ଲୋକ ଏହାର ଶିକାର ହେଉଥିବା ବେଳେ ଏକ ଦିବ୍ୟାଙ୍ଗ ପରିବାର ଏହାର ଶିକାର ହୋଇ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ସହିତ ବଡ ଚକଡା ସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ରମ୍ଭା ଥାନା ଅନ୍ତର୍ଗତ ତାରିଣୀପଲ୍ଲୀ ଗ୍ରାମର ରବିନ୍ଦ୍ର କୁମାର ସେଠୀ ଓ ତାଙ୍କ ଧର୍ମପତ୍ନୀ ଏଭଳି ଏକ ସଙ୍ଗୀନ ଅଭିଯୋଗ ନେଇ ରବିବାର ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଂଚି ଅଭିଯୋଗ ପ୍ରକୋଷ୍ଠରେ ଏକ ଦାବି ପତ୍ର ପ୍ରଦାନ କରିବା ସହ ଅତିରିକ୍ତ ଏସପି ପି. କେ. ଦଳାଇଙ୍କୁ ଭେଟି ଗୁହାରି କରିଛନ୍ତି । ତାଙ୍କ କହିବା ଅନୁସାରେ ଗ୍ରାମର କଥାକଥିତ ସଭାପତି ରବିନ୍ଦ୍ରଙ୍କ ଘର ସମ୍ମୁଖରେ ବାଲି ରଖିଥିଲେ । ରବିନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ନିଜ ଘରୁ କୌଣସି ଗୁରୁତ୍ୱ ପୂର୍ଣ୍ଣ କାମରେ ଯିବାକୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ସେ ଏହାକୁ ବିରୋଧ କରି ତାଙ୍କ ଘର ସମ୍ମୁଖରେ ବାଲି ଗଦା କରିବା ପାଇଁ ମନା କରିଥିବା ସତ୍ତ୍ୱେ ରବିନ୍ଦ୍ରଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଏନେଇ ସେ ବାଧ୍ୟ ହୋଇ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ରମ୍ଭା ଥାନାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଗତ ମାର୍ଚ୍ଚ ମାସ ୬ ତାରିଖରେ ଗ୍ରାମରେ ଏକ ବୈଠକ କରି ରବିନ୍ଦ୍ରଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ରବିନ୍ଦ୍ର ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏପରିକି, ପୂର୍ବ ଜନ୍ମର କର୍ମ ଯୋଗୁଁ ଏ ଜନ୍ମରେ ଦିବ୍ୟାଙ୍ଗ ହୋଇଛୁ ବୋଲି କହି ତାଙ୍କ ବ୍ୟକ୍ତିତ୍ୱ ଓ ସ୍ୱାଭିମାନକୁ ଲାଂଛିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଗ୍ରାମ ଭିତର କଥାକୁ ପୋଲିସ୍ ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଭୁଲ କରିଛୁ ବୋଲି କହି ରବିନ୍ଦ୍ରଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଥିବା ସେ କହିଛନ୍ତି । ଫଳରେ ଗ୍ରାମର କୌଣସି ଦୋକାନରୁ ସେ ଅତ୍ୟାବଶ୍ୟକ ସାମଗ୍ରୀ କିଣୁପାରୁନାହାନ୍ତି କି ଗ୍ରାମରେ ହେଉଥିବା କୌଣସି ଶୁଭ ଅଶୁଭ କାର୍ଯ୍ୟରେ ତାଙ୍କୁ ଯୋଗ ଦେବା ପାଇଁ ବାରଣ କରାଯାଇଛି । ଏନେଇ ସେ ପୂର୍ବରୁ ରମ୍ଭା ଥାନା ଅଧିକାରୀ, ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଞ୍ଜାମ ଏସପି ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ପରେ ରମ୍ଭା ଥାନା ପୋଲିସ୍ ଗ୍ରାମରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ଦିନରେ ତାଙ୍କୁ ନ୍ୟାୟ ନ ମିଳିଲେ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ସହ ଆବଶ୍ୟକ ପଡିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାର ପ୍ରତିକ୍ରିୟାରେ ଅତିରିକ୍ତ ଏସପି ପି.କେ. ଦଳାଇ କହିଛନ୍ତି ଯେ, ତାଙ୍କୁ ଗ୍ରାମ ପକ୍ଷରୁ ବାସନ୍ଦ କରାଯାଇନାହିଁ କିନ୍ତୁ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପଇସା ମଗାଯାଇନାହିଁ । ଯଦି ଏହା ସତ୍ୟ ଏନେଇ ଥାନାରେ ଏତାଲା ଦେବା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।