ଥାନାରୁ ନ୍ୟାୟ ନପାଇ ଯୁବତୀଙ୍କ ଆତ୍ମହତ୍ୟା ଘଟଣା : ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପାଟକୁରା ଥାନା ପୋଲିସ ଠାରୁ ନ୍ୟାୟ ନ ପାଇ ଯୁବତୀ ଆତ୍ମହତ୍ୟା କରିବା ଘଟଣାରେ ଶନିବାର ପୋଲିସର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ପାଟକୁରା ଥାନା ଅନ୍ତର୍ଗତ ମହମ୍ମୁଦା ଗ୍ରାମକୁ ଯାଇ ଯୁବତୀ ଯେଉଁ ଘରେ ଆତ୍ମହତ୍ୟା କରିଥିଲେ ସେ ଘରକୁ ତନ ତନ କରି ଛାନବିନ କରିଥିଲା । ଯେଉଁ ରଶିରେ ସେ ଆତ୍ମହତ୍ୟା କରିଥିଲେ ତାହାକୁ ଜବତ କରି ପରୀକ୍ଷା ପାଇଁ ସାଇଣ୍ଟିଫକ ଟିମ ନେଇଯାଇଛି । ଏଥିସହ ପରିବାର ଲୋକଙ୍କ ଠାରୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ଶନିବାର ସକାଳୁ ବର୍ଷା ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିବାରୁୁ ତଦନ୍ତରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିବା ସାଇଣ୍ଟିଫକ ଟିମ ଠାରୁ ସୂଚନା ମିଳିଛି । ପାଟକୁରା ଥାନା ପୋଲିସର ଉଦାସୀନତା ପ୍ରତିବାଦରେ ମୃତ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଯୁବତୀଙ୍କ ଶବ ରଖାଯାଇ ଥାନା ଘେରାଉ କରାଯାଇ ଥିଲା । ଖବର ପାଇ ପାଟକୁରା ଥାନାରେ ପହଞ୍ଚିଥିଲେ କେନ୍ଦ୍ରାପଡା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା । ସେ ପାଟକୁରା ଥାନାଧିକାରୀ ସରୋଜ ସାହୁଙ୍କ ସହ ଘଟଣା ସମ୍ପର୍କ ରେ ଆଲୋଚନା କରିବା ସହ ମୃତକଙ୍କ ପରିବାର ଲୋକମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ଥାନା ଘେରାଉକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଯୁବତୀଙ୍କ ପରିବାର ଲୋକେ ଯେଉଁ ଅଭିଯୋଗ କରିଥିଲେ ତାହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ସେ ନେଇ ଏସ୍‌ଡିପିଓ ଶ୍ରୀ ପଣ୍ଡା ଥାନାଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ସେହିପରି ଏହି ଘଟଣାରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଶନିବାର ଆଉ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଏସ୍‌ଡିପିଓ ଥାନା ରେ ଅଟକ ଥିବା ବ୍ୟକ୍ତିମାନଙ୍କୁ ପଚରା ଉଚରା କରିଥିଲେ । ପ୍ରକୃତରେ ଯୁବତୀଙ୍କ ଆତ୍ମହତ୍ୟା ପାଇଁ ଏହି ଯୁବକମାନେ ଦାୟୀ କିମ୍ବା ଉପଯୁକ୍ତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପୋଲିସ ଦାୟୀ ସେ ନେଇ ତଦନ୍ତ କରିବା ପାଇଁ ଏସ୍‌ପି ସନ୍ଦୀପ ସମ୍ପଦ ମଡ଼କରଙ୍କ ନିର୍ଦେଶକ୍ରମେ ଜଣେ ଅତିରିକ୍ତ ଏସ୍‌ପି ଏବଂ କେନ୍ଦ୍ରାପଡା ଏସ୍‌ଡିପିଓ ଶ୍ରୀ ପଣ୍ଡା ପାଟକୁରା ଥାନାକୁ ଯାଇ ତଦନ୍ତ କରିଛନ୍ତି । ଉଭୟ ଅଧିକାରୀ ଖୁବଶୀଘ୍ର ତଦନ୍ତ ରିପୋର୍ଟ ଏସ୍‌ପିଙ୍କୁ ପ୍ରଦାନ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଗୋଟିଏ ପଟେ ଯୁବତୀଙ୍କ ପରିବାରରେ ଭାଳେଣି ପଡିଯାଇଛି । ପରିବାର ଲୋକେ ଖିଆପିଆ ବନ୍ଦ କରି ଦେଇଛନ୍ତି । ଶନିବାର ଯୁବତୀଙ୍କ ପରିବାରରେ ଚୁଲି ଜଳିନି । ପୋଲିସର ନିସ୍କ୍ରିୟତାକୁ ପରିବାର ଲୋକେ ଦାୟୀ କରିଛନ୍ତି । ପୂର୍ବରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି । କାରଣ ପୂର୍ବରୁ ସଂପୃକ୍ତ ରାଜନେତା ପରିବାର ଲୋକଙ୍କ ବିରୋଧରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଭାବିତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ସୂଚନାଯୋଗ୍ୟ ଯେ ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ମହମ୍ମୁଦା ଗ୍ରାମର ସଚିତ୍ର ସ୍ୱାଇଁଙ୍କ ପରିବାର ସହିତ ଗ୍ରାମର ଜଣେ ରାଜନେତାଙ୍କ ପରିବାର ସହ ବିବାଦ ହୋଇଥିଲା । ଏ ନେଇ ରାଜନେତା ପରିବାରର ସଦସ୍ୟମାନେ ସଚିତ୍ର ସ୍ୱାଇଁ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ । ଏହି ସମୟରେ ବାପା ବୋଉଙ୍କୁ ବଞ୍ଚାଇବାକୁ ଯାଇ ସଚିତ୍ରଙ୍କ ଝିଅ ଶୁଭ୍ରାଶୁଭ୍ରଦର୍ଶିନୀ ମଧ୍ୟ ମାଡ଼ ଖାଇଥିଲେ । ଏ ନେଇ ସଚିତ୍ରଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ୍ୟ ହୋଇଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା । ଅପରପକ୍ଷରେ ସଚିତ୍ରଙ୍କ ଝିଅ ଶୁଭ୍ରାଶୁଭଦର୍ଶିନୀଙ୍କୁ ରାଜନେତାଙ୍କ ପରିବାର ଲୋକେ ଗାଳିଗୁଲଜ କରିବା ସହ ତାଙ୍କ ଚରିତ୍ର ସଂହାର କରିଥିଲେ । ଫଳରେ ଶୁଭ୍ରାଶୁଭଦର୍ଶିନୀ ଟାହି ଟାପରା ସହି ନ ପାରି ଶୁକ୍ରବାର ସକାଳେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଶନିବାର ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି । ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ର ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଏକ ମାମଲା ରୁଜୁ କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି । ପାଟକୁରା ଥାନାରେ ଏ ସଂକ୍ରାନ୍ତରେ ୨୮୮/୨୦୨୨ରେ ଭାରତୀୟ ପିଙ୍ଗଳ କୋଡର଼ ଦଫା ୩୪୧, ୩୨୩, ୨୯୪, ୩୦୪ ଓ ୩୪ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଚାଲିଛି ବୋଲି ଥାନାଧିକାରୀ ସରୋଜ ସାହୁଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ