ଥାନା ଭିତରେ ଅଭିଯୋଗକାରୀଙ୍କୁ ହତ୍ୟା ଧମକ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ଥାନା ପରିସର ମଧ୍ୟରେ ଜଣେ ଅଭିଯୋଗକାରୀଙ୍କୁ ଉପସ୍ଥିତ ଗୃହରକ୍ଷୀ ହତ୍ୟା ଧମକ ଦେଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ଥାନା ଅଧିନ ଜିରିଣା ଗ୍ରାମର ଜିତେନ୍ଦ୍ର କୁମାର ଦାସ ଗତ ୨୦୧୬ ମସିହାରେ ଭଦ୍ରକ ଏସ୍‌.ଡି.ଜେ.ଏମ୍ କୋର୍ଟରେ ବ୍ୟାଙ୍କ ଅଫ ବରୋଦା, ଅଢାଳପଙ୍କ ଶାଖା ପରିଚାଳକଙ୍କ ନାମରେ ଆଇ.ସି.ସି ନଂ-୨୯/୨୦୧୬ରେ ମୂଳେ କେସ ଦାଏର ହୋଇଥିଲା । ଗତ ତା-୨୦.୧.୨୦୧୬ ରିଖ ମେମୋ ନଂ-୮୨ ମୂଳେ ଉକ୍ତ ମାମଲାର ତଦନ୍ତ କରି କେସ୍ ରୁଜ୍ଜୁ କରିବା ପାଇଁ ବନ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଥାନାଧିକାରୀ ଉକ୍ତ ମାମଲାର କୌଣସି ପଦକ୍ଷେପ ଗ୍ରହଣ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଥିନେଇ ଜିତେନ୍ଦ୍ର ୪ ଥର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି । ଗତ ୧୮ ତାରିଖରେ ଜିତେନ୍ଦ୍ରଙ୍କୁ ଥାନାକୁ ଡକାଯାଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ କାହିଁକି ଏସମ୍ପର୍କରେ ଜଣାଇଲ ବୋଲି ପଚରାଯାଇଥିଲା । ବନ୍ତ ଥାନାଧିକାରୀଙ୍କ ସମେତ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସି.ସି.କ୍ୟାମେରା ଲାଗିଥିବା ସ୍ଥାନରେ ଗୃହରକ୍ଷୀ ଉମେଶ ଚନ୍ଦ୍ର ରାଉତ ଜିତେନ୍ଦ୍ରଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଥାନାର କିଛି କର୍ମଚାରୀ ଗୃହରକ୍ଷୀଙ୍କୁ ଅଟକାଇ ଥିଲେ । ଏସମ୍ପର୍କରେ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିବାକୁ ଚାହିଁବାରୁ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇନଥିଲା । ଅପରପକ୍ଷେ ତାଙ୍କୁ ମିଥ୍ୟା କେସରେ ଫସାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା । ଏନେଇ ସେ ଜିଲା ଆରକ୍ଷୀ ଅଧିକ୍ଷକ, ପୋଲିସ ମହାନିର୍ଦ୍ଦେଶକଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ