ଥିଲେ ଜଣେ ସଫଳ ପୁରୁଷ
ଈଶ୍ୱର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରଖି ସୃଷ୍ଟି କରିଛନ୍ତି ନାରୀ ଓ ପୁରୁଷ। ତେବେ ବେଳେବେଳେ ଏମିତି ସମୟ ଆସିଛି ଯେତେବେଳେ ନାରୀଟିଏ ପୁରୁଷ ସାଜିବା ପାଇଁ ବାଧ୍ୟ ହୋଇଛି। ଏମିତି ଏକ ଲୋକପ୍ରିୟ ଉଦାହରଣ ରହିଛି ମହାଭାରତରେ। ସୁଧନ୍ବା ନାମରେ ଜଣେ ରାଜପୁତ୍ର ଥିଲେ। ସେ ଥିଲେ ବିବାହିତ। ଇନ୍ଦୁମତୀ ନାମରେ ଜଣେ ସୁନ୍ଦରୀ ଯୁବତୀ ତାଙ୍କୁ ଭଲପାଇ ବସିଲେ। ଆଉ ପ୍ରେମ ନିବେଦନ କଲେ। ମାତ୍ର ବିନମ୍ରତାର ସୁଧନ୍ବା କହିଲେ ଯେ, ସେ ବିବାହିତ। ତେଣୁ ଅନ୍ୟ କୌଣସି ନାରୀଙ୍କୁ ସେ ଗ୍ରହଣ କରିବେ ନାହିଁ। ଏଥିରେ ଅପମାନିତ ହୋଇ ଇନ୍ଦୁମତୀ ଗଙ୍ଗାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ବାହାରିଲେ। ସେତିକିବେଳେ ଦେବୀ ଗଙ୍ଗା ଆବିର୍ଭାବ ହୋଇ କହିଲେ, ତମେ ଆତ୍ମହତ୍ୟା କରନି। ତା’ ପରିବର୍ତ୍ତେ ପୁରୁଷ ରୂପ ଧାରଣ କରି ସୁଧନ୍ବାଙ୍କ ନିକଟକୁ ଯାଅ। ମୋ ଆଶୀର୍ବାଦରୁ ସେ ତୁମକୁ ଅଙ୍ଗରକ୍ଷୀ ଭାବରେ ଗ୍ରହଣ କରିବେ। ଫଳରେ ତୁମେ ସବୁବେଳେ ତାଙ୍କର ପାଖେପାଖେ ରହିବ। ତାଙ୍କ ସଖ୍ୟ, ସାନ୍ନିଧ୍ୟ ଆଉ ସାହଚର୍ୟ୍ୟ ପାଇପାରିବ। ତାହା ହିଁ ହେଲା। ଇନ୍ଦୁମତୀ ପୁରୁଷ ରୂପ ଧାରଣ କରି ସୁଧନ୍ବାଙ୍କର ଅଙ୍ଗରକ୍ଷୀ ସାଜିଲେ। ଯେତେବେଳେ ଅର୍ଜୁନଙ୍କ ସହ ସୁଧନ୍ବାଙ୍କର ଯୁଦ୍ଧହେଲା ଆଉ ଅର୍ଜୁନ ସୁଧନ୍ବାଙ୍କ ଉପରକୁ ବ୍ରହ୍ମଶର ନିକ୍ଷେପ କଲେ ସେତେବେଳେ ସୁଧନ୍ବାଙ୍କ ଆଗରେ ଯାଇ ଠିଆ ହୋଇଗଲେ ଯୁବକ ରୂପୀ ଇନ୍ଦୁମତୀ। ବ୍ରହ୍ମଶର ତାଙ୍କ ଦେହରେ ବାଜିଲା। ସେଇଠି ସୁଧନ୍ବା ଇନ୍ଦୁମତୀଙ୍କର ଅସଲ ସ୍ବରୂପ ଜାଣିଲେ ଆଉ ମରିବା ପୂର୍ବରୁ ଇନ୍ଦୁମତୀଙ୍କୁ ନିଜର ପ୍ରିୟତମା ବୋଲି ସ୍ବୀକାର କଲେ।ଏହା ଏକ କାଳ୍ପନିକ କାହାଣୀ ହୋଇପାରେ। ମାତ୍ର ବାସ୍ତବ ଜୀବନରେ ବି ଘଟିଛି ଏମିତି ଅନେକ ଘଟଣା, ଯେଉଁଠି ଗୋଟିଏ ନାରୀ ପୁରୁଷ ବେଶ ଧାରଣ କରିଛି। ପୁରୁଷ ପ୍ରାଧାନ୍ୟ ସମାଜକୁ ପରିହାସ କରିଛି। ଆଉ ନିଜର ଲକ୍ଷ୍ୟ ସାଧନ କରିଛି।ବିଦ୍ରୋହରୁ ବଦଳିଲା ବେଶ : ସଂକ୍ଷେପରେ ଜେମ୍ସ ବେରୀ। ମାତ୍ର ସମ୍ପୂର୍ଣ୍ଣ ସାର୍ଟିଫିକେଟ୍ ନାମ ଜେମ୍ସ ମିରାଣ୍ଡା ଷ୍ଟିଓ୍ବାର୍ଟ ବେରୀ। ବ୍ରିଟିଶ୍ ଆର୍ମିର ସେ ଜଣେ ମିଲିଟାରୀ ସର୍ଜନ (ଡାକ୍ତର) ଥିଲେ। ଜେମ୍ସ ବେରୀଙ୍କ ଜନ୍ମ ଆୟର୍ଲାଣ୍ଡର କର୍କ। ୟୁନିଭର୍ସିଟି ଅଫ୍ ଇଡେନବରାର ମେଡିକାଲ ସ୍କୁଲ୍ରୁ ବେରୀ ମେଡ଼ିକାଲ ଡିଗ୍ରୀ ହାସଲ କରିଥିଲେ। ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା ସାଉଥ୍ ଆଫ୍ରିକାର କେପ୍ ଟାଉନ୍ରେ। ପରେ ପରେ ସେ ବ୍ରିଟିଶ ସାମ୍ରାଜ୍ୟରେ ପ୍ରବେଶକଲେ ଏବଂ ଜଣେ ଇନ୍ସପେକ୍ଟର ଜେନେରାଲ ର଼୍ୟାଙ୍କ ଭାବରେ ରିଟାୟାରମେଣ୍ଟ କରିଥିଲେ। ସମଗ୍ର ଜୀବନକାଳ ମଧ୍ୟରେ ଜେମ୍ସ ବେରୀ ଥିଲେ ଜଣେ ସଫଳ ପୁରୁଷ।