ଥିଲେ ଦିଅ ନଥିଲେ ନିଅ
ଭୁବନେଶ୍ୱର, : “ଥିଲେ ଦିଅ ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତ୍ତକ ବରିଷ୍ଠ ସମାଜସେବୀ ଶ୍ରମିକ ନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ଆମ ଉଡ୍ର ପରିବାର ତରଫରୁ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଥିଲା । ଲୋକମାନଙ୍କର ଅଦ୍ଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ଉଡ୍ର ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଉଡ୍ର ଟିମ୍ ପରାମର୍ଶଦାତା ଆକାଶ ଦାସନାୟକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଓଡ଼ିଶାରେ ଥିବା ସବୁ ପ୍ୟାରିସ୍ ବେକରୀ ଆଉଟ୍ଲେଟ୍ ଉଡ୍ର ବ୍ଲେସିଙ୍ଗ ବକ୍ସ ରଖାଯାଇଥିଲା ଏବଂ ରାଜ୍ୟର ବିଭିନ୍ନ ପ୍ୟାରିସ୍ ବେକରୀ ଆଉଟ୍ଲେଟ୍ରେ ଏକା ସଙ୍ଗେ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ଆନୁଷ୍ଠାନିକ ଭାବେ ହୋଇଥିଲା । ଲୋକମାନଙ୍କର ଅଦ୍ଭୁତପୂର୍ବ ସମର୍ଥନ କ୍ରମେ ଆମକୁ ୧୫୦୦୦ରୁ ଉର୍ଦ୍ଧ୍ୱ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ବିପୁଳ ମାତ୍ରାରେ ମିଳିଥିଲା ଏବଂ ଆମେ ଏହି ବସ୍ତ୍ରକୁ ବିଭିନ୍ନ ସ୍ଥାନରେ ବାଣ୍ଟିଥିଲୁ । ଏହି କାର୍ଯ୍ୟକ୍ରମର ଅପାର ସଫଳତା କ୍ରମେ ଅମେ ନିଷ୍ପତ୍ତି ନେଇଥିଲୁ ଯେ ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳେଇବୁ । ଯେଉଁ ଆଗ୍ରହୀ ବ୍ୟକ୍ତିମାନେ ସେମାନଙ୍କର ପୋଷାକକୁ ଦେବାକୁ ଚାହୁଁଛନ୍ତି ସେମାନେ ଆମର ପ୍ୟାରିସ୍ ବେକରୀ ଆଉଟ୍ଲେଟ୍ ଉଡ୍ର ବ୍ଲେସିଙ୍ଗ ବକ୍ସରେ ଦାନ କରିପାରିବେ । ଆମେ ତାକୁ ୱାସେକ୍ସ ହସ୍ପିଟାଲିଟି ସଲୁଏସନ ସହାୟତାରେ ସଫା କରି ରିସାଇକେଲ କରି ଯେଉଁମାନଙ୍କର ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ନାହିଁ ସେମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବୁ । ଆପଣମାନଙ୍କର ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ସମ୍ମିଳନୀରେ ବି.ପି. ଭରଦ୍ୱାଜ, ପ୍ରସନ୍ନ ପାତ୍ର ଏବଂ ଉଡ୍ର ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


