ଦଉଡ଼ିରେ ତିଆରି ବିପଜ୍ଜନକ ପୋଲ

ସିମେଣ୍ଟ, କାଠ ଏବଂ ଲୁହା ପୋଲ ଆପଣ ଦେଖିଥିବେ । ହେଲେ ଆଜିର ଆଧୁନିକ ଯୁଗରେ ଆପଣ ଦଉଡ଼ିରେ ତିଆରି ପୋଲ ଦେଖିଛନ୍ତି କି? ତାହା ପୁଣି ୨ ପାହାଡ ମଧ୍ୟରେ ସଂଯୋଗ ରକ୍ଷା କରୁଛି । ଏପରି ବିପଦସଙ୍କୁଳ ପୋଲ ଉପରେ ସ୍ଥାନୀୟ ଅଞ୍ଚଳବାସୀ କିନ୍ତୁ ବେଶ୍ ଆରାମରେ ଯାତାୟାତ କରୁଛନ୍ତି । ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ହେଲା ପ୍ରତିବର୍ଷ ପୁରୁଣା ଦଉଡି ବଦଳାଇ ନୂଆ ଦଉଡିରେ ନୂଆ ପୋଲ ତିଆରି ହୋଇଥାଏ । ଆଶ୍ଚର୍ଯ୍ୟର କଥା, ଏହାକୁ ତିଆରି କରିବା ପାଇଁ କୌଣସି ଆଧୁନିକ ଉପକରଣ ବ୍ୟବହାର ହୋଇ ନଥାଏ । ତାହା ହେଲେ ଜାଣନ୍ତୁ ଏହି ପୋଲ ବିଷୟରେ ଅଧିକ କିଛି ।
ପେରୁର କୁଷ୍କା ନାମକ ସ୍ଥାନର ଅପରିମାକ ନଦୀ ଉପରେ ଏପରି ଏକ ପୋଲ ରହିଛି ଯାହା ଘାସର ଦଉଡିରେ ତିଆରି । ଏହାର ଚତୁଃପାଶ୍ୱର୍ରେ ପାହାଡ ପରିବେଷ୍ଟିତ । ତେଣୁ ୨ ପାହାଡକୁ ସଂଯୋଗ କରି ତିଆରି ହୋଇଛି ଏହି ପୋଲ । ଆଉ ପୋଲକୁ ପ୍ରତି ବର୍ଷ ମରାମତି ମଧ୍ୟ କରାଯାଏ, ତାହା ପୁଣି ଘାସ ଦଉଡି ସାହାଯ୍ୟରେ । ଏଥିପାଇଁ ଏହାକୁ ରୋପ୍ ବ୍ରିଜ୍ ମଧ୍ୟ କୁହାଯାଏ । ଘାସର ମୋଟା ରସି ଦ୍ୱାରା ଏହି ପୋଲ ତିଆରି ହୋଇଛି । ଆଉ ଆଶ୍ଚର୍ଯ୍ୟର କଥା ହେଲା ଏହି ପୋଲ ବହୁତ ପୁରୁଣା । ଏଥିରେ ପ୍ରତିଦିନ ଲୋକମାନେ ଯିବା ଆସିବା କରିଥାନ୍ତି । ସହର ସହ ଯୋଡ଼ିିବାକୁ ଏହା ପ୍ରକୃଷ୍ଟ ମାଧ୍ୟମ ହୋଇଥାଏ । ୨୦୧୩ ମସିହାରେ ୟୁନେସ୍କୋ ଏହି ପୋଲକୁ ବିଶ୍ୱ ଐତିହ୍ୟ ନାମରେ ଘୋଷିତ କରିଥିଲା । ପୁରୁଣା ପୋଲକୁ ପ୍ରତିବର୍ଷ ନୂଆ କରି ତିଆରି କରିବା ପରମ୍ପରା ବହୁତ ଦିନରୁ ଏଠାରେ ଚାଲିଆସିଛି । ପାଲର ଦୁଇ ପାଶ୍ୱର୍ରେ ଥିବା ଅଞ୍ଚଳର ଯୁବକମାନେ ଘାସର ଦଉଡ଼ିରେ ଏହି ପୋଲ ତିଆରି କରିଥାନ୍ତି । ପରମ୍ପରା ଅନୁସାରେ, ପୋଲକୁ କେବଳ ଯୁବକମାନେ ହିଁ ତିଆରି କରିଥାନ୍ତି । ଆଉ ମହିଳାମାନେ ପାଲର ଦୁଇ ପାଶ୍ୱର୍ରେ ରହି ଘାସର ମୋଟା ମୋଟା ଦଉଡ଼ି ତିଆରି କରିଥାନ୍ତି । ପୋଲ ତିଆରି ହେବାର ପୂର୍ବଦିନରୁ ମହିଳା ଏବଂ ଯୁବକମାନେ ନଦୀର ଦୁଇ ପାଶ୍ୱର୍ରେ ଏକାଠି ହୋଇ ଛୋଟ ଦଉଡ଼ିକୁ ବଡ଼ କରି ତିଆରି କରିଥାନ୍ତି । ମୁଖ୍ୟ ଦଉଡ଼ିର ମୋଟା ପ୍ରାୟ ଏକ ଫୁଟ୍ ହୋଇଥାଏ । ବହୁ ପତଳା ଦଉଡ଼ି ମିଶାଇ ଗୋଟେ ମୋଟା ଦଉଡ଼ି ତିଆରି ହୋଇଥାଏ । ଏହି ଦଉଡିକୁ ପଥରରେ ପିଟାଯାଏ, ତା’ପରେ ପାଣିରେ ଭିଜାଯାଇଥାଏ । ଏହା କରିବା ଦ୍ୱାରା ଦଉଡ଼ି ନରମ ହୋଇଥାଏ ଏବଂ ତାହା ବୁଣିବାକୁ ସହଜ ହୋଇଥାଏ । ଦଉଡି ପ୍ରସ୍ତୁତି ସମୟରେ ଏଥିରେ ନିୟୋଜିତ ଲୋକଙ୍କ ନିମନ୍ତେ ବହୁ ଭଲ ଭଲ ଖାଇବା ମଧ୍ୟ ତିଆରି ହୋଇଥାଏ । ସେଥି ମଧ୍ୟରୁ ଚିକେନ୍ ଏବଂ ନଦୀରୁ ଧରା ହୋଇଥିବା ମାଛରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ନୂଆ ପୋଲ ହେଲା ପରେ ପୁରୁଣା ପୋଲର ଦଉଡ଼ିକୁ କାଟି ଦିଆଯାଏ । ତାହା ନଦୀରେ ପଡ଼ିଯାଇଥାଏ । ଦୁଇ ପାଶ୍ୱର୍ର ରସିକୁ ପୋଲର ଦୁଇ ପାଶ୍ୱର୍ର ପଥର ସହ ବାନ୍ଧି ଦିଆଯାଇଥାଏ । ଏହାକୁ ତିଆରି କରିବା ପାଇଁ ପୂରା ଦିନ ଲାଗିଯାଏ । ପୋଲ ତିଆରି କରିବାର ପୁରା ପ୍ରକ୍ରିୟାରେ ଆଧୁନିକ ଜିନିଷର ବ୍ୟବହାର କରାଯାଏ ନାହିଁ । ଏଥିରେ କେବଳ ଲୋକଙ୍କ ଶ୍ରମ ଆବଶ୍ୟକତା ପଡ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ