ଦକ୍ଷିଣାଂଚଳ ରାଜସ୍ୱ କମିଶନଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣାଂଚଳ ରାଜସ୍ୱ କମିଶନ ଟି.ଇ. ଆପାଙ୍ଗ ଆଓ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି । ସେ ପ୍ରଥମେ ପାରଳାଖେମୁଣ୍ଡି ଠାରେ ପହଂଚି କୋଭିଡ଼-୧୯ ଦାୟୀତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପ ସାହା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଞ୍ଜଦେଓ, ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) କରୁଣାକର ରାଇକା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୁନୁରାଣୀ ମେୟଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ସଭାର ପ୍ରାରମ୍ଭରେ ଜିଲ୍ଲାର ସ୍ଥିତି ସହ କୋଭିଡ଼-୧୯କୁ ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପକୁ ଉପସ୍ଥାପନ କରିବା ସହ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କର ସଂଖ୍ୟା ଏବଂ ସେମାନଙ୍କର ଯତ୍ନ ଓ ସ୍ୱାସ୍ଥ୍ୟବସ୍ଥାକୁ କିପରି ଭାବରେ ତଦାରଖ କରାଯାଉଛି ତାହା ଉପସ୍ଥାପନ କରିଥିଲେ । କମିଶନର ବର୍ତମାନର ସ୍ଥିତି ବହୁତ ଭଲ ଥିବା ଦର୍ଶାଇବା ସହ ଆଗାମୀ ଦିନରେ ଆସିବାକୁ ଥିବା ପ୍ରବାସୀ ଓଡ଼ିଆମାନଙ୍କର ଯତ୍ନ ଏବଂ ସ୍ୱାସ୍ଥ୍ୟବସ୍ଥାକୁ କିପରି ତଦାରଖ କରାଯାଇ ପାରିବ, ସେଥି ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ହୋଇ କାମ କରିବାକୁ ପଡ଼ିବ ବୋଲି କହିଥିଲେ । ପ୍ରତି ପଂଚାୟତ ସମିତିରେ କିପରି କଂଟ୍ରୋଲରୁମ ଠିକ୍ ଭାବେ କାମ କରିବ ତାହାକୁ ଗୁରୁତ୍ୱ ଦେବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜରୁରୀ କାଳୀନ ପରିସ୍ଥିତିରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଦାୟୀତ୍ୱ କିପରି ଠିକ୍ ଭାବେ ତୁଲାଇବେ ଉପସ୍ଥିତ ଥିବା ଅଧିକାରୀଙ୍କ ମାଧ୍ୟମରେ ଆହ୍ୱାନ ଦେଇଥିଲେ । ଅନ୍ତରାଜ୍ୟ ଏବଂ ଗଞ୍ଜାମ ଜିଲ୍ଲାର ସୀମାରେ ନାକାବନ୍ଦୀ ଗୁଡିକ ଅଧିକ ଯତ୍ନବାନ ହୋଇ କାମ କଲେ ଆଗାମି ଦିନରେ ଅନୁପ୍ରବେଶକୁ ରୋକାଯିବା ସହ କରୋନା ସଂକ୍ରମଣରୁ ମଧ୍ୟ ବଂଚିଯାଇପାରିବା ବୋଲି ମତ ଦେଇଥିଲେ । ଜିଲ୍ଲାରେ ଏକ ଅମ୍ଲଜାନ ପୁରଣ କରିବା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ତାହାପରେ କମିଶନର ଓଡ଼ିଶାରେ ପ୍ରଥମ କରି ପ୍ରସ୍ତୁତ ହୋଇଥିବା ସ୍ୱାବ୍ ସଂଗୃହୀତ ଭ୍ୟାନ୍କୁ ଦେଖିବା ସହ ସେଥିରେ ଥିବା ପ୍ରତ୍ୟେକ ସୁବିଧାକୁ ପଚାରି ବୁôଝଥିଲେ । ପରିଶେଷରେ ପାରଳାଖେମୁଣ୍ଡିରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୁଲି ଦେଖିବା ସହ ବ୍ରହ୍ମପୁର ଅଭିମୁଖେ ଫେରିଯାଇଥିଲେ ।


