ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତକାଲି ଗଜପତି ଜିଲ୍ଲାରେ ୪ କରୋନା ପଜିଟିଭ୍ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହେବା ପରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ ପାରଳାଖେମୁଣ୍ଡି ପହଞ୍ଚି ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ସହ କରୋନା ପରିସ୍ଥିତି ନେଇ ଅନୁଧ୍ୟାନ କରିବା ସହ ଏହାର ମୁକାବିଲା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ୪ଗୋଟି କରୋନା ପଜିଟିଭ୍ ଚିହ୍ନଟ ନେଇ ବ୍ୟସ୍ତ ନ ହୋଇ ସୁଚିନ୍ତିତ ପଦକ୍ଷେପ ଗ୍ରହଣ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଏବଂ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଉପସ୍ଥିତ ଥିଲେ । ଦେବୀତି ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସେମାେନେ ବୁଲି ଦେଖିବା ସହ ନାକା ପଏଣ୍ଟ ମଧ୍ୟ ବୁଲି ଦେଖିଥିଲେ । ପରେ ସେମାନେ ସର୍କିଟ ହାଉସ୍ ଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ହାଡୁଭାଙ୍ଗି ଏବଂ ଅଲଡା ଠାରେ ଥିବା ନାକା ପଏଣ୍ଟ ବୁଲି ଦେଖିଥିଲେ । ବିଭିନ୍ନ ଅଞ୍ଚଳ ପରିଦର୍ଶନ ଓ ଅନୁଧ୍ୟାନ ପରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଜିଲ୍ଲା ପ୍ରଶାସନ ଓ ପୋଲିସର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।